ବୀର ସନ୍ତାନଙ୍କ ସଂଗ୍ରାମର କାହାଣୀ ଏବଂ ଲୋକକଥାକୁ ନେଇ ନିର୍ମାଣ ହେଉଛି ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’

ଇଂରେଜମାନଙ୍କ କବଳରୁ ମାତୃଭୂମିକୁ ସୁରକ୍ଷା ଦେବା ପାଇଁ ଦେଶପ୍ରେମୀମାନଙ୍କୁ ବର୍ଷ ବର୍ଷ ଧରି ସଂଗ୍ରାମ କରିବାକୁ ପଡ଼ିଥିଲା। ସଂଗ୍ରାମୀମାନଙ୍କ ବଳିଦାନରେ ଦେଶ ସ୍ବାଧୀନ ହେଲା। ଇଂରେଜମାନଙ୍କ ବିରୋଧରେ ବୀର ପାଇକମାନଙ୍କ କଥା, ପାଇକ ସଂଗ୍ରାମ ଇତିହାସର ଲମ୍ବା କାହାଣୀ, ଏଯାଏ ପୂର୍ଣ୍ଣାଙ୍ଗ ଲେଖା ହୋଇପାରିନାହିଁ। ଓଡ଼ିଶା ମାଟିର ବୀର ସହିଦମାନଙ୍କ ବଳିଦାନର ଛାତିଥରା କାହାଣୀ ଏ ଦେଶର ଅଗଣିତ ଜନତାଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲା। ଇଂରେଜ ଶାସକଙ୍କ ବିରୋଧରେ ମହାନ ପାଇକ ଯୋଦ୍ଧା ଜୟୀ ରାଜଗୁରୁ ଜାଳିଥିଲେ ପାଇକ ସଂଗ୍ରାମର ଆଦ୍ୟ ଅଗ୍ନିସ୍ଫୁଲିଙ୍ଗ। ଜୟୀ ରାଜଗୁରୁଙ୍କ ବୀରତ୍ୱ ଓ ଦେଶପ୍ରୀତି ଓଡ଼ିଶାର ପୁରପଲ୍ଲୀର ପାଇକମାନଙ୍କୁ ଜାଗ୍ରତ କରିଥିଲା ଓ ବ୍ରିଟିଶ୍‌ ଶାସକଙ୍କ ଉପରେ ତାହାର ପ୍ରଭାବ ପଡ଼ିଥିଲା। ଏଥିପାଇଁ ଇଂରେଜ ସରକାର ଶେଷରେ ଯୁଦ୍ଧରୁ ବିରତି ନେଇ ପଛଘୁଞ୍ଚା ଦେଇଥିଲେ।

ଜୟଭାରତ ଏଣ୍ଟରଟେନ୍‌ମେଣ୍ଟ ତରଫରୁ ଏହି ବୀର ସନ୍ତାନଙ୍କ ସଂଘର୍ଷମୟ ସଂଗ୍ରାମ କାହାଣୀ ଏବଂ ଲୋକକଥାକୁ ଆଧାର କରି ଚଳଚ୍ଚିତ୍ର ‘ଜୟୀ ରାଜଗୁରୁ’ ନିର୍ମାଣ ହୋଇଛି। ଏହି ଚଳଚ୍ଚିତ୍ରଟି ସୁଟିଂ ଆରମ୍ଭରୁ ହିଁ ଚର୍ଚ୍ଚାକୁ ଆସିଛି। ଫିଲ୍ମର ଅଧିକାଂଶ ଭାଗ ଓଡ଼ିଶାର କୋରାପୁଟ, ସୁନାବେଡ଼ା, ପୁରୀ ଚିଲିକା, ଖୋର୍ଦ୍ଧା, ବାଣପୁର ଆଦି ବିଭିନ୍ନ ଐତିହାସିକ ଅଞ୍ଚଳରେ ସୁଟିଂ ହେଇଛି। ବହୁସଂଖ୍ୟାରେ ପାଇକ କଳାକାରମାନେ ପାରମ୍ପରିକ ବେଶଭୂଷା ଓ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଏଥିରେ ଅଭିନୟ କରିଛନ୍ତି। ବ୍ରିଟିଶ୍‌ ଶାସକଙ୍କ ବିରୋଧରେ ପାଇକମାନଙ୍କ ସଂଗ୍ରାମର ବିଭିନ୍ନ ରଣକୌଶଳର ଦୃଶ୍ୟକୁ ସୁଟିଂରେ ଜୀବନ୍ତ କରାଯିବା ପାଇଁ ପ୍ରୟାସ କରାଯାଇଛି।

ମାର୍ଗଦର୍ଶକ ଭାବେ ରହିଛନ୍ତି ପ୍ରଫେସର ନାରାୟଣ ରାଓ, ଜଟାଧାରୀ ମିଶ୍ର, ଶ୍ରୀଦେବ ନନ୍ଦ, ଧୀରେନ୍ ପ୍ରମୁଖ। ପାଇକ କଳାକାରଙ୍କ ସଂଯୋଜକ ଭାବେ ସୁବାସ ଜେନା ଦାୟିତ୍ୱ ବହନ କରିଛନ୍ତି। ପୁରପଲ୍ଲୀରେ ଏହାର ଲୋକପ୍ରିୟତା ପାଇଁ ଦେବପ୍ରସାଦ ମିଶ୍ର ଓ ବନବିହାରୀ ବେହେରା ପ୍ରୟାସ କରିଛନ୍ତି। କ୍ରିଷ୍ଣା ସରୋଜ କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜୟସେନ। ଏଥିରେ ବିଭିନ୍ନ ଚରିତ୍ରରେ ଅଶ୍ରୁମୋଚନ, ବିଶ୍ୱରୂପ, ମିତା ଚକ୍ରବର୍ତ୍ତୀ, ଦେବିକା, ନାରାୟଣ ମାର୍ଥା, ଭଗବାନ ତ୍ରିପାଠୀ, ସୁଦାମ ବିଶୋଇ, ଦୀପକ ରାଉତ, ଶିଶୁକଳାକାର ଭାବେ ସୃଜନୀ ପ୍ରିୟଦର୍ଶନୀ, ଶ୍ରୁତିଯା, ସାଇ, ଅନାମ ଚରଣ ନାୟକ ଅଛନ୍ତି। ଏଥି ସହିତ ତାମିଲନାଡୁ, ଅାନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରର କେତେଜଣ ନାମକରା କଳାକାର ମଧ୍ୟ ଅଭିନୟ କରିଛନ୍ତି। ଖୁବ୍ ଶୀଘ୍ର ଚଳଚ୍ଚିତ୍ରଟି ମୁକ୍ତିଲାଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର