ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍‌ ଓ ଏଲିନା

ଓଲିଉଡରେ ଗତ ତିନି ବର୍ଷ ଧରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଦୁଇ ଜଣ ନାୟିକା। ଏ ଦୁହେଁ ଓଲିଉଡର ଟପ୍‌ ହିରୋ ଅନୁଭବ, ଅରିନ୍ଦମ ଓ ବାବୁସାନଙ୍କ ସାଥ୍‌ ବି ପାଇଛନ୍ତି। ଏ ଦୁହିଁଙ୍କୁ ନିୟମିତ ଫିଲ୍ମର ଅଫର ବି ମିଳୁଛି ଆଉ ସିନେମାରେ ବି ଦେଖିବାକୁ ପାଉଛନ୍ତି ସିନେପ୍ରେମୀ ।

ହେଲେ ଆପଣ ଜାଣନ୍ତିକି ଓଲିଉଡର ଏ ଦୁଇ ଆଗଧାଡିର ନାୟିକା ଏଯାବତ୍‌ କେବଳ ଗୋଟିଏ ସିନେମାରେ ଏକାଠି ନଜର ଆସିଛନ୍ତି । ଏଠାରେ ଯେଉଁ ଦୁଇ ନାୟିକାଙ୍କ କଥା କୁହାଯାଉଛି, ସେମାନେ ହେଲେ ଝିଲିକ୍‌ ଏବଂ ଏଲିନା ସାମନ୍ତରାୟ। ଝିଲିକ୍‌ ଅବଶ୍ୟ ଏଲିନାଙ୍କ ଠାରୁ ଦୁଇ ବର୍ଷ ସିନିୟର, କାରଣ ଝିଲିକିଙ୍କ ପ୍ରଥମ ସିନେମା ‘ଟାର୍ଗେଟ’ ୨୦୧୩ରେ ରିଲିଜ୍‌ ହୋଇଥିଲା । ହେଲେ ଏଲିନା ୨୦୧୫ର ସିନେମା ‘ଇଶ୍କ ତୁ ହି ତୁ’ରେ ଡେବ୍ୟୁ କରିଥିଲେ।

ସେ ଯାହା ହେଉ ନା କାହିଁକି ଝିଲିକ୍‌ ଓ ଏଲିନା ୨୦୧୫ରେ ରିଲିଜ୍‌ ହୋଇଥିବା ଏକ ଫିଲ୍ମରେ ଏଯାବତ୍‌ ପ୍ରଥମ ଓ ଅନ୍ତିମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ସିନେମା ହେଲା ତରଙ୍ଗ ସିନେ ପ୍ରଡକସନ୍‌ ପ୍ରଯୋଜିତ ‘ଜଗା ହାତରେ ପଘା’। କେ.ମୁରଲୀ କ୍ରିଷ୍ଣା ଥିଲେ ଏହାର ନିର୍ଦ୍ଦେଶକ । ଏଥିରେ ଉଭୟ ଏଲିନା ଓ ଝିଲିକ୍‌ ବନିଥିିଲେ ନାୟିକା । ତେବେ ଏଥିରେ ଉଭୟଙ୍କ ଚରିତ୍ର ବି ଥିଲା ଭିନ୍ନ ଭିନ୍ନ । ଏହି ସିନେମାରେ ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱତା, ଅସିତ ପତି, ବୁଦ୍ଧାଦିତ୍ୟ, ଅଜିତ ଦାସ ଓ ମୀନକେତନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ସମ୍ବନ୍ଧିତ ଖବର