ଝିଲିକ୍‌ଙ୍କ ‘ଲଭ୍‌ ଫିବର୍‌’ ଗୀତରେ ୫ ମିନିଟ୍‌ରେ ବ୍ୟବହାର ହୋଇଛି ୧୫୦ଟି କଷ୍ଟ୍ୟୁମ

ପାଣିରେ ଟିକିଏ ବୁଡିଲେ ଜର! ଜର ସାଙ୍ଗକୁ ଥଣ୍ଡା, କାଶ ଓ ଶର୍ଦ୍ଦି । ହେଲେ ସିଏ ତ ଆଜିକାଲି ପୂରାପୂରି ପ୍ରେମରେ ଉବୁଟୁବୁ ହେଉଛନ୍ତି। ଜ୍ୱର ନ ହୁଅନ୍ତା କେମିତି! ସବୁଠି ଚର୍ଚ୍ଚା, ଝିଲିକ୍‌ଙ୍କୁ ଘାରିଛି ପ୍ରେମ ଜ୍ୱର, ମାନେ- ‘ଲଭ୍‌ ଫିବର୍‌’!!
ତେବେ ପାଠକେ ଆଉ ଅଧିକ କିଛି ଭାବିନେବା ପୂର୍ବରୁ, ସତ କଥାଟି କହି ଦେବା ଉଚିତ। ଆମେ କହୁଛୁ, ଝିଲିକ୍‌ଙ୍କ ଆଗାମୀ ଫିଲ୍ମ ‘ଓଲେ ଓଲେ ଦିଲ୍‌ ବୋଲେ’ର ଲୋକପ୍ରିୟ ରୋମାଣ୍ଟିକ୍‌ ଗୀତ ‘ଲଭ୍‌ ଫିବର୍‌…’ ବିଷୟରେ। ଏ ଗୀତଟି ଏବେ ଯୁବବର୍ଗଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଛି ଏବଂ ଗତ ଅନେକ ସପ୍ତାହ ଧରି ଲୋକପ୍ରିୟତାରେ ଭଲ ସ୍ଥାନରେ ରହି ଆସୁଛି। ପ୍ରେମ୍‌ ଆନନ୍ଦଙ୍କ ଗୀତରେ ମେଲୋଡି ଓ ମିଠାପଣ ତ ରହିଥାଏ, କିନ୍ତୁ ଏଥିରେ ରହିଛି ଗୋଟେ ସମସାମୟିକତାର ସ୍ପର୍ଶ ମଧ୍ୟ। ‘ଲଭ୍‌ ଫିବର…’ ଗୀତରେ ଗୀତିକାର ବସନ୍ତରାଜ ସାମଲ ‘ଓ୍ଵାଲ୍‌ପେପର୍‌’, ‘ସ୍କ୍ରିନ୍‌ସେଭର୍‌’ ଭଳି ଅନେକ ଶବ୍ଦ ଖଞ୍ଜିଛନ୍ତି, ଯାହା ଗୀତଟିକୁ ଗୋଟେ ନୂଆ ରୂପ ପ୍ରଦାନ କରିଛି। ସବିଶେଷ ଓ ଅନନ୍ୟାଙ୍କ କଣ୍ଠରେ ଏହା ବେଶ୍‌ ମନଛୁଅାଁ ହେବା ସହ ଅନେକଙ୍କ ମୋବାଇଲ୍‌ର କଲର୍‌ଟ୍ୟୁନ୍‌ ବନିଯାଇଛି। ଗୀତର ଚିତ୍ରାୟନରେ ଗ୍ଲସି ଲୁକ୍‌ ଦେବା ପାଇଁ କୌଣସି ଊଣା କରିନାହାନ୍ତି ପ୍ରଯୋଜକ ବିଭୂତି ଭୂଷଣ ଷଡଙ୍ଗୀ ଓ ନିର୍ଦ୍ଦେଶକ କୈଳାସ ମହାପାତ୍ର। ଗୀତର ସୁଟିଂ କରା ଯାଇଛି ଥାଇଲାଣ୍ଡ୍‌ର ପଟାୟା ବିଚ୍‌ରେ। ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ୫ ମିନିଟ୍‌ର ଏ ଗୀତରେ ବ୍ୟବହାର କରା ଯାଇଛି ୧୫୦ଟି କଷ୍ଟ୍ୟୁମ୍‌।


ଉଲ୍ଲେଖଯୋଗ୍ୟ ଯେ ‘ଓଲେ ଓଲେ ଦିଲ୍‌ ବୋଲେ’ ଏଇ ଏପ୍ରିଲ୍‌ ୧୩ ତାରିଖରେ ରିଲିଜ୍‌ ହେବ। ଏଥିରେ ଝିଲିକ୍‌ଙ୍କର ନାୟକ ହୋଇଛନ୍ତି ଜ୍ୟୋତି। ଅନ୍ୟସବୁ ଭୂମିକାରେ ଆହୁରି ଅଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ମିହିର ଦାସ ପ୍ରମୁଖ।

ସମ୍ବନ୍ଧିତ ଖବର