ଭୁବନେଶ୍ବର: ନିଂରଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍.କେ.ମୁରଲୀଧରନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାର୍ଗେଟ୍’ରୁ ଏଣ୍ଟ୍ରି ନେଇଥିଲେ ଓଲିଉଡର ଷ୍ଟାରସନ୍ ଅମ୍ଳାନ । ଏହି ସିନେମାରେ ଅମ୍ଳାନଙ୍କ ବିପକ୍ଷରେ ନାୟିକା ବନିଥିଲେ ନବାଗତା ଝିଲିକ୍। ବେଙ୍ଗଲି ବିଉଟି ଝିଲିକଙ୍କ ସହ ଅମ୍ଳାନଙ୍କ ଯୋଡ଼ି ବେଶ୍ ଜମିଯାଇଥିଲା। ୨୦୧୩ରେଏହି ସିନେମା ରିଲିଜ୍ ହୋଇଥିଲା।
ହେଲେ ଏହା ଭିତରେ ପ୍ରାୟ ଛଅ ବର୍ଷ ବିତି ଗଲାଣି,ମାତ୍ର ଅନ୍ୟ କୌଣସି ଫିଲ୍ମରେ ଏକାଠି ଆସିନାହାନ୍ତି ଅମ୍ଳାନ-ଝିଲିକ ଯୋଡ଼ି। ‘ଟାର୍ଗେଟ୍’ପରେ ପୁଣି ଏକ ସିନେମାରେ ଏହି ଯୋଡ଼ି ଆସୁଥିବାର ଖବର ମିଳିଛି। ଅମ୍ଳାନ ଓ ଝିଲିକ ‘ବାଜିବଲୋ ସାହାନାଇ’ ଫିଲ୍ମରେ ଆସୁଛନ୍ତି। ଏଥିରେ ଆଉ ଜଣେ ନାୟକ ସମ୍ବିତ ବି ଅଛନ୍ତି। ଏହି ଦୁଇ ଜଣ ନାୟକଙ୍କ ସହ ରୋମାନସ୍ କରିବେ ଝିଲିକ।
ଏହାର କାହାଣୀ ଏକ ଯାତ୍ରା ନାଟକ ଉପରେ ଆଧାରିତ ବୋଲି ଜଣାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଇଂ ଆଶୁତୋଷ ମହାପାତ୍ର। ‘ବାଜିବଲୋ ସାହାନାଇ’ରେ ଦର୍ଶକ ପୁଣିଥରେ ସେମାନଙ୍କର ପ୍ରିୟ ଯୋଡ଼ି ଅମ୍ଳାନ-ଝିଲିକ୍ଙ୍କୁ ତ ଦେଖିବାକୁ ପାଇବେ,ତା’ଛଡ଼ା ଅଭିନେତା ଆଶୁତୋଷଙ୍କ ଖଳାନାୟିକୀ ବି ଦେଖିବାକୁ ପାଇବେ । ଅମ୍ଳାନ ଓ ଝିଲିକ ଦୀର୍ଘ ବର୍ଷରେ ପୁଣି ଥରେ ଏକାଠି କାମ କରୁଥିବାର ସୁଯୋଗ ମିଳିଥିବାରୁ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ‘ବାଜିବଲୋ ସହାନାଇ’ର ପ୍ରଯୋଜନା କରୁଛନ୍ତି ଜନ୍ମେଜୟ ଡୋଗ୍ରା ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ତାପସ ଦାସ(ଟିଟନ୍) ଓ ଅମୃତାଂଶୁ ପଟ୍ଟନାୟକ। ଇତିମଧ୍ୟରେ ସିନେମାର ମହୁରତ୍ ଅନୁଷ୍ଠିତ ହୋଇଯାଇଛି।