ଭୁବନେଶ୍ବର : ଓଡ଼ିଶାରେ ଜନ୍ମିତ ଅନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ଚଳଚ୍ଚିତ୍ର ପ୍ରଯୋଜକ ତଥା ଶିଶୁ ଓ ଯୁବକଙ୍କ ପାଇଁ ଆୟୋଜିତ ‘ ସ୍ମାଇଲ୍ ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲ’ର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର ଆସନ୍ତା ମାସରେ ହେବାକୁ ଥିବା ୩ଟି ପ୍ରମୁଖ ଚଳଚ୍ଚିତ୍ର ଉତ୍ସବ ପାଇଁ ଜୁରୀ ଭାବେ ମନୋନୀତ ହୋଇଛନ୍ତି। ଏହି ଚଳଚ୍ଚିତ୍ର ଉତ୍ସବ ପୋଲାଣ୍ଡ, ଜର୍ମାନୀ ଓ ସ୍ପେନ୍ଠାରେ ଅନୁଷ୍ଠିତ ହେବ। ଚଳିତମାସ ଶେଷ ଆଡ଼କୁ ଜିତେନ୍ଦ୍ର ଇଉରୋପ ଗସ୍ତ କରିବା ସହିତ ଏହିସବୁ ଚଳଚ୍ଚିତ୍ର ଉତ୍ସବରେ ଯୋଗଦାନ କରିବେ।
ଅନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ର ପ୍ରଯୋଜନା, ବିତରଣ ଓ ପ୍ରୋତ୍ସାହନର ବିକଳ୍ପ ପଦ୍ଧତି ପାଇଁ ଯେଉଁ କେତେଜଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଉଦାହରଣ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ଜିତେନ୍ଦ୍ର ଅନ୍ୟତମ। ଟିଟିଲାଗଡ଼ଠାରେ ଜନ୍ମଲାଭ କରିଥିବା ଜିତେନ୍ଦ୍ର ଏଯାବତ୍ ବିଭିନ୍ନ ବର୍ଗର ୧୧୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ସହ ସମ୍ପୃକ୍ତ ହୋଇସାରିଛନ୍ତି।