ମୁମ୍ବାଇ: ଚଳଚ୍ଚିତ୍ର ‘ଓ୍ବାର୍-୨’ ପାଇଁ ବଲିଉଡର ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ହେବ, ଦକ୍ଷିଣ ସୁପରଷ୍ଟାର ଜୁନିଅର ଏନଟିଆର ହ୍ରିତିକଙ୍କ ସହ ଫିଲ୍ମ ‘ଓ୍ବାର୍-୨’ରେ ଅଭିନୟ କରିବେ ବୋଲି ଆଲୋଚନା ଚାଲିଥିଲା। ବର୍ତ୍ତମାନ ଶେଷରେ ହ୍ରିତିକ୍ ସ୍ପଷ୍ଟ କରିଛନ୍ତି ଯେ ନିଶ୍ଚିତ କରିଛନ୍ତି ଯେ ଜୁନିଅର ଏନଟିଆର ବହୁ ପ୍ରତୀକ୍ଷିତ ‘ଓ୍ବାର୍-୨’ରେ କାମ କରିବେ। ଶନିବାର ଦିନ ଆବୁଧାବିରେ ଅନୁଷ୍ଠିତ ଆଇଆଇଫା ଆଓ୍ବାର୍ଡ୍ସ ରେ ମିଡିଆ ସହ କଥାବାର୍ତ୍ତା ସମୟରେ ହ୍ରିତିକ ରୋଶନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ବହୁତ ଉତ୍ସାହିତ ଅଛି। ମୁଁ ‘ଫାଇଟର୍’ରେ ବି ଆସୁଛି। ଆଶା କରୁଛି ଆପଣ ମଧ୍ୟ ଏହାକୁ ପସନ୍ଦ କରିବେ।
‘ଓ୍ବାର୍-୨’ ହେଉଛି ଆକ୍ସନ୍-ପ୍ୟାକ୍ଡ ଫିଲ୍ମ ‘ଓ୍ବାର୍’ର ସିକ୍ୱେଲ୍। ଏହା ୨୦୧୯ର ସର୍ବାଧିକ ଆୟ କରିଥିବା ବଲିଉଡ ଚଳଚ୍ଚିତ୍ର ଥିଲା, ଯାହା ବିଶ୍ବ ବକ୍ସ ଅଫିସରେ ୪୭୫ କୋଟିରୁ ଅଧିକ ଆୟ କରିଥିଲା। ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଟାଇଗର ଶ୍ରଫ୍ ବି ନଜର ଆସିଥିଲେ।
ହ୍ରିତିକ ରୋଶନଙ୍କ ଉଭୟ ଫିଲ୍ମ ‘ଫାଇଟର୍’ ଏବଂ ‘ଓ୍ବାର-୨’ର ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ଆନନ୍ଦ। ‘ଫାଇଟର୍’ରେ ପ୍ରଥମ ଥର ପାଇଁ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ ହ୍ରିତିକ୍। ଏହା ୨୦୨୪ ସାଧାରଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବ। ଏଣେ ‘ଓ୍ବାର୍-୨’ ୨୦୨୫ ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।