ପରଦାରେ ଜମିବ ଜ୍ୟୋତି ଓ ଝିଲିକ୍‌ଙ୍କ କେମେଷ୍ଟ୍ରି

ଗୀତାଞ୍ଜଳି ପ୍ରଡକ୍ସନ୍‌ର ପ୍ରଥମ ଅବଦାନ ଭାବେ ତିଆରି ହେଉଥିବା ନୂଆ ଓଡ଼ିଆ ଫିଲ୍ମ ‘ଓଲେ ଓଲେ ଦିଲ୍‌ ବୋଲେ’ର ସୁଟିଂ ଗତ ସପ୍ତାହରେ ଆରମ୍ଭ ହୋଇଛି। ବିଭୁତି ଭୂଷଣ ଷଡ଼ଙ୍ଗୀଙ୍କ ପ୍ରଯୋଜିତ ଏ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ କୈଳାଶ ମହାପାତ୍ର। ଉଲ୍ଲେଖନୀୟ ଯେ ଉଭୟ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର। ‘ଓଲେ ଓଲେ ଦିଲ୍‌ ବୋଲେ’ରେ ଅଛି ଜ୍ୟୋତି ନାୟକ ଓ ଝିଲିକ୍‌ଙ୍କର ସବୁଜ ଯୋଡ଼ି। ତେବେ ଏକ ପ୍ରମୁଖ ଭୂମିକାରେ ଅଛନ୍ତି ଅଭିଜ୍ଞ ସିଦ୍ଧାନ୍ତ ମହାପାତ୍ର। ଏମାନଙ୍କ ସହିତ ଫିଲ୍ମରେ ଆହୁରି ଅଛନ୍ତି ବିଜୟ ମହାନ୍ତି, ଚୌଧୁରୀ ବିକାଶ ଦାସ ଓ ପ୍ରତିଭା ସାହୁ ପ୍ରମୁଖ। ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

‘ଓଲେ ଓଲେ ଦିଲ୍‌ ବୋଲେ’କୁ ସବୁ ଶ୍ରେଣୀର ଓ ବୟସର ଦର୍ଶକଙ୍କ ମନୋରଞ୍ଜନ କରିବା ଭଳି ଶୈଳୀରେ ତିଆରି କରା ଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହା ଯାଇଛି। କାହାଣୀ ମୁଖ୍ୟତଃ ଦୁଇଟି କଥାକୁ କେନ୍ଦ୍ରକରି ଗଢ଼ି ଉଠିଛି- ପ୍ରେମ ପ୍ରତି ସମ୍ମାନ ତଥା ପାରିବାରିକ କର୍ତ୍ତବ୍ୟବୋଧ। ଏଥିରେ ପ୍ରେମ, ରୋମାନ୍ସ, ଆକ୍ସନ୍‌ ଓ ଇମୋସନ୍‌ ଭରପୂର ଅଛି। କାହାଣୀରେ ଆସୁଥିବା ଅକସ୍ମାତ ମୋଡ଼ଗୁଡ଼ିକ ଦର୍ଶକଙ୍କୁ ଶେଷଯାଏ ବାନ୍ଧି ରଖିବ ବୋଲି ଦାବି କରା ଯାଇଛି।

ସମ୍ବନ୍ଧିତ ଖବର