ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ?

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ୨୦୨୦ରେ ଦର୍ଶକ ସେମାନଙ୍କର ପ୍ରିୟ ନାୟକ, ନାୟିକାଙ୍କୁ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି। ଏବର୍ଷ କେଉଁ ନାୟକଙ୍କର କେତୋଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବ,ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଯାହା ଜଣାପଡ଼ୁଛି ୨୦୨୦ରେ ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କର ସବୁଠାରୁ ଅଧିକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ। ଏହାର କାରଣ ହେଲା,ଏବେ ତାଙ୍କର କେତେଗୁଡ଼ାଏ ଚଳଚ୍ଚିତ୍ର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହାଛଡ଼ା ସେ ଅନ୍ୟ ନୂଆ ସିନେମାରେ କାମ କରିପାରନ୍ତି ଏବର୍ଷ ।

ସମ୍ବିତଙ୍କର ଯେଉଁ ସବୁ ସିନେମା ଏବେ ପାଇପଲାଇନରେ ରହିଛି , ସେଗୁଡ଼ିକ ହେଲା ‘ବାଜିବ ଲୋ ସାହାନାଇ’, ‘ଯୋଉଠି ଥିଲେ ବି ତୁ ମୋର’, ‘ଇନ୍ଦ୍ରଜାଲ’, ’ଆୱାରା ଦିଲ୍’, ‘ଟିକେ ଲଭ୍ ଟିକେ ଟ୍ବିଷ୍ଟ୍’ ଓ ‘ବିଶ୍ବନାଥ’। ଏହା ଛଡ଼ା ସମ୍ବିତଙ୍କ ଅନ୍ୟ ଏକ ଓଡ଼ିଆ ସିନେମା ‘ଆଇ ଲଭ୍ ୟୁ-୨’ ବି ଅଟକି ରହିଛି। ତାଙ୍କର ଅନ୍ୟ ଏକ ସିନେମା ‘ଫିଲ୍ ମାଇଁ ଦିଲ୍’କୁ ବି ଏହି ତାଲିକାଭୁକ୍ତ କରାଯାଇପାରେ।
ଉପରୋକ୍ତ ସିନେମା ଗଡ଼ିକମଧ୍ୟରୁ ସମ୍ବିତଙ୍କୁ ଝିଲିକଙ୍କ ସହ ‘ବାଜିବ ଲୋ ସାହାନାଇ’ ଓ ‘ଆଇ ଲଭ ୟୁ-୨’ରେ ଦେଖିବାକୁ ମିଳିବ। ସମ୍ବିତ-ଝିଲିକ ଯୋଡ଼ିଙ୍କୁ ଦର୍ଶକ ଆଗରୁ ‘ତୁମକୁ ଦେଖିଲା ପରେ’ ସିନେମାରେ ଦେଖିବାକୁ ପାଇଥିଲେ।

୨୦୨୦ରେ ସମ୍ବିତ ଓଲିଉଡର ହଟ୍ ହିରୋଇନ୍ ରୀୟା ଦେ’ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ‘ଯୋଉଠି ଥିଲେ ବି ତୁ ମୋ’ର ’ରେ ନଜର ଆସିପାରନ୍ତି। ‘ଆୱାରା ଦିଲ୍’ ଓ ‘ଟିକେ ଲଭ୍ ଟିକେ ଟ୍ବିଷ୍ଟ୍ ’ରେ ପ୍ରଥମଥର ପାଇଁ ଏକାଠି ନଜର ଆସିବେ ସମ୍ବିତ ଓ ପୁନମ୍ ମିଶ୍ର। ଅପରପକ୍ଷରେ ‘ଇନ୍ଦ୍ରଜାଲ’ରେ ଦେବଯାନୀଙ୍କ ସହ ଦେଖା ଦେବେ ସମ୍ବିତ।
ଠିକ୍ ସେହିପରି ‘ବିଶ୍ବନାଥ’ ରେ ‘ମୁଁ ରାଜା ତୁ ରାଣୀ’ ଫେମ୍ ସମ୍ଭାବନାଙ୍କ ନାୟକ ସାଜିଛନ୍ତି ସମ୍ବିତ। ‘ଫିଲ୍ ମାଇଁ ଦିଲ୍’ରେ ସମ୍ବିତଙ୍କ ସହ ଦୁଇ ଜଣ ଓଲିଉଡ ନାୟିକା ଦିବ୍ୟା ଓ ଏଲସାଙ୍କର ରୋମାନ୍ସ ରହିଛି।

ଏଣେ ତାଙ୍କ ସହ ସଂଖ୍ୟାରେ ଟକ୍କର ଦେବାକୁ ଓଲିଉଡର ଅନ୍ୟତମ ଆଗ ଧାଡ଼ିର ନାୟକ ଜ୍ୟୋତି ବି ପ୍ରସ୍ତୁତ। ଏବର୍ଷ ଜ୍ୟୋତିଙ୍କ ଅଭିନୀତ ବେଶ୍ କେତୋଟି ସିନେମା ପରଦାକୁ ଆସିବ। ଏ ବର୍ଷ ଜ୍ୟୋତିଙ୍କର ଯେଉଁସବୁ ସିନେମା ରିଲିଜ୍ ହେବ, ସେଥିମଧ୍ୟରେ ରହିଛି ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ (ଇଏମ୍ଇ) ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ‘ତୁ ଭାରି ବିଉଟିଫୁଲ୍’ । ଏଥିରେ ଲିପ୍ସା ଓ ଅର୍ଚ୍ଚିତା ମହାନ୍ତି ଅଛନ୍ତି ନାୟିକା ଭୂମିକାରେ।
ତା’ପଛକୁ ରହିଛି ‘ହିରୋ ନଂ ଜିରୋ’। ସେଥିରେ ଜ୍ୟୋତିଙ୍କୁ ଡବଲ ରୋଲରେ ଦେଖିବାକୁ ପାଇବେ ଦର୍ଶକ ।
ଜ୍ୟୋତିଙ୍କର ଅନ୍ୟ ଏକ ସିନେମା ‘ସୁପରବୟ’ ବି ୨୦୨୦ରେ ପରଦାକୁ ଆସିବ। ଏଥିରେ ପୁଣି ଥରେ ତମନ୍ନାଙ୍କ ସହ ତାଙ୍କୁ ଦେଖିବାକୁ ମିଳିବ। ଠିକ୍ ସେହିପରି ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଚକ୍ରବ୍ୟୁହ’ରେ ବି ନଜର ଆସିବେ ଜ୍ୟୋତି । ଏଥିରେ ପ୍ରଥମଥର ପାଇଁ ଜ୍ୟୋତି-ଦୀପିକାଙ୍କ ଯୋଡ଼ି ନଜର ଆସିବେ ।
ଜ୍ୟୋତିଙ୍କ ଅନ୍ୟ ଏକ ଓଡ଼ିଆ ସିନେମା ‘ତୋ ’ଇଶ୍କରେ’ ଅଟକି ରହିଛି। ଏଥିରେ ଦର୍ଶକ ପ୍ରଥମ ଥର ପାଇଁ ନାୟକ ଜ୍ୟୋତିଙ୍କ ବିପକ୍ଷରେ ଚୁଲୁବୁଲି ନାୟିକା ସନମୀରାଙ୍କୁ ଦେଖିବାକୁ ପାଇବେ। ଏହାଛଡ଼ା ସେ ଅନ୍ୟ ନୂଆ ସିନେମାରେ କାମ କରିପାରନ୍ତି ଏବର୍ଷ ।

ଏହା ତ ଆକଳନ। ତେବେ ପ୍ରକୃତରେ ୨୦୨୦ରେ ସମ୍ବିତ ଓ ଜ୍ୟୋତିଙ୍କର କେତୋଟି ସିନେମା ମୁକ୍ତିଲାଭ କରୁଛି, ତାହା ବର୍ଷ ଶେଷରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର