ବାପି ଲାହିରିଙ୍କୁ କନ୍ଦାଇ ପାରୁଥିବା ପ୍ରିୟ ଗୀତ ଥିଲା ‘କଭି ଅଲ୍‌ବିଦା ନା କେହ୍‌ନା’

ମୁମ୍ବାଇ: ‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖ୍‌ନା, କଭି ଅଲ୍‌ବିଦା ନା କେହ୍‌ନା…’ ଗୀତଟି ଶୁଣିରେ ବାପି ଲାହିରିଙ୍କ ଆଖିରେ ଲୁହ ଜକେଇ ଉଠୁଥିଲା। କିଶୋର କୁମାର ଗାଇଥିବା ଏହି ଗୀତଟି ସୁରକାର ବାପି ଲାହିରିଙ୍କ ଅନ୍ୟତମ ସଫଳ ତଥା ହିଟ୍‌ ଗୀତ। ଗୀତଟି ୧୯୭୬ ମସିହାର ଚଳଚ୍ଚିତ୍ର ‘ଚଲ୍‌ତେ ଚଲ୍‌ତେ’ର ଏବଂ ସେଥିରେ ବିଶାଳ ଆନନ୍ଦ ଏବଂ ସିମି ଗରେୱାଲ୍‌ ଅଭିନୟ କରିଥିଲେ।

ନିକଟ ଅତୀତରେ ଏକ ସାକ୍ଷାତ୍‌କାରରେ ବାପି ଲାହିରି କହିଥିଲେ, ଏଇ ଗୀତଟି ଶୁଣିଲେ ତାଙ୍କ ଆଖି ଛଳ ଛଳ ହୋଇଯାଏ। ରେକର୍ଡିଙ୍ଗ୍‌ରେ ଏଇ ଗୀତଟି ଗାଇବା ବେଳେ ମାମୁ କିଶୋର କୁମାର ମଧ୍ୟ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ।

ସମସ୍ତଙ୍କ ଆଖିକୁ ଅଶ୍ରୁ ଆଣିବାକୁ ସମର୍ଥ ଥିବା ଏଇ ଗୀତଟି ସମ୍ପର୍କରେ ସେ କହିଥିଲେ, ଖାଲି ମୋ ଆଖିରେ ନୁହେଁ, ଏ ଗୀତଟି ଗାଇବା ବେଳେ ସମଗ୍ର ଦୁନିଆବାସୀଙ୍କ ଆଖିରେ ଲୁହ ଜକେଇ ଉଠେ। ସେ ଅଷ୍ଟ୍ରେଲିଆ ହେଉ କି, ନ୍ୟୁୟର୍କ ଅଥବା ମଧ୍ୟପ୍ରାଚ୍ୟ, ସବୁ ଶ୍ରୋତା କାନ୍ଦି ପକାଉଥିଲେ। ସ‌େ ଗୀତଟିର ସବୁଠାରୁ ମନଛୁଆଁ ଲାଇନ୍ ଥିଲା: ‘ହମ୍‌ ଲୌଟ୍‌କେ ଆୟେଙ୍ଗେ ତୁମ୍ ୟୁହିଁ ବୁଲାତେ ରେହ୍‌ନା, କଭି ଅଲ୍‌ବିଦା ନା କେହ୍‌ନା।’

ମଙ୍ଗଳବାର ରାତି ପ୍ରାୟ ୧୧.୪୫ରେ ବାପି ଲାହିରି ଓରଫ୍‌ ଅଲୋକେଶଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ଗୋଟିଏ ପୁଅ ବାପା ଲାହିରି ଏବଂ ଗୋଟିଏ ଝିଅ ରେମା ଲାହିରି ଅଛନ୍ତି। ସମ୍ପ୍ରତି ବାପା ଆମେରିକାରେ ଅଛନ୍ତି। ସେ ଫେରିବା ପରେ ଆସନ୍ତାକାଲି ବାପି ଲାହିରିଙ୍କର ଶେଷକୃତ୍ୟ ସମାପନ କରାଯିବ। ଆକ୍ସନ୍‌ ଡାଇରେକ୍ଟର୍‌ ମହେନ୍ଦ୍ର ବର୍ମାଙ୍କ କନ୍ୟା ତନୀଶାଙ୍କୁ ବାପି ଲାହିରି ବିବାହ କରିଥିଲେ।

ସମ୍ବନ୍ଧିତ ଖବର