‘କଚ୍ଚା ବାଦାମ’ ଗୀତ ଗାଇଥିବା ଭୁବନ ଏହି ଭୟ ପାଇଁ ବାଦାମ ବିକିବା ବନ୍ଦ କରି ଦେଇଛନ୍ତି

ନୂଆଦିଲ୍ଲୀ: ଅନେକ ସମୟରେ କୁହାଯାଏ ଯେ କାହାର ଭାଗ୍ୟ କେତେବେଳେ ବଦଳିବ ତାହା କେହି ଜାଣନ୍ତି ନାହିଁ । ତେବେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପ୍ରତିଭା ଦେଖୁଦେଖୁ ହଜାରହଜାର ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ଆଉ ସେ ଗରିବ ଲୋକଟିଏ ହୋଇଥିଲେ ବି ରାତାରାତି ଷ୍ଟାର ପାଲଟି ଯାଉଛି।

କଚ୍ଚା ବାଦାମ ଗୀତ ଗାଇଥିବା ଭୁବନ ବାଦାୟକରଙ୍କ ସହ ସମାନ ଘଟଣା ଘଟିଛି। ଯେଉଁ ଗୀତ ଗାଇ ଭୁବନ ଲୋକଙ୍କ ମନୋରଞ୍ଜନ କରି ବାଦାମ ବିକି ଦୁଇ ପଇସା ରୋଜଗାର କରୁଥିଲେ। ସେହି କଚ୍ଚା ବାଦାମ ଗୀତ ଭୁବନଙ୍କୁ ଦୁନିଆରେ ଏକ ଭିନ୍ନ ପରିଚୟ ଦେଇଛି।

ଭୁବନଙ୍କ ଜୀବନରେ ହୋଇଥିବା ହଠାତ ଏଭଳି ପରିବର୍ତ୍ତନକୁ ସେ ବିଶ୍ବାସ କରି ପାରି ନଥିଲେ। ଏସବୁକୁ ସେ ସ୍ବପ୍ନ ବୋଲି ଭାବୁଥିଲେ। ସମ୍ପ୍ରତି ଭୁବନ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ବର୍ତ୍ତମାନ ମୁଁ ବାଦାମ ବିକ୍ରି କରିବା ବନ୍ଦ କରି ଦେଇଛି। କାରଣ ମୁଁ ଜଣେ କଳାକାର ହେବାକୁ ଚାହୁଁଛି। ମୁଁ ବାହାରକୁ ବାହାରିଲେ ଲୋକେ ଘେରି ଯାଉଛନ୍ତି। ଏଭଳି ପରିସ୍ଥିତିରେ ରାସ୍ତାରେ ଯାଇ ବାଦାମ ବିକ୍ରି କରିବା ସମ୍ଭବ ହେଉନାହିଁ।

ଏପରି ପରିସ୍ଥିତିରେ ମୋର ପଡ଼ୋଶୀମାନେ ମଧ୍ୟ ମୋତେ ବାହାରକୁ ନଯିବାକୁ କହିଥିଲେ। କାରଣ ଏଭଳି ସମୟରେ ଅପହରଣ ହେବାର ବି ସମ୍ଭାବନା ରହିଛି ବୋଲି ପଡୋଶୀ ସୂଚିତ କରିଥିଲେ। ମନରେ ସବୁବେଳେ ଏହି ଭୟ ରହିଥିବାରୁ ବି ମୁଁ ବାଦାମ ବିକ୍ରି କରିବାକୁ  ବାହାରକୁ ଯାଉନାହିଁ।’

କିଛି ଦିନ ପୂର୍ବରୁ ଭୁବନ୍ ରାସ୍ତାରେ ବୁଲିବୁଲି ବାଦାମ ବିକ୍ରି କରୁଥିଲେ। ଇଣ୍ଟରନେଟ୍ ଜଗତ ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା। ଭୁବନଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହାପରେ ଏକ ମ୍ୟୁଜିକ୍ କମ୍ପାନି ତାଙ୍କୁ ଟଙ୍କା ଦେଇଥିବାବେଳେ ସେ ଅନେକ ନୂଆ ଅଫର ମଧ୍ୟ ପାଇଛନ୍ତି ।

ସମ୍ବନ୍ଧିତ ଖବର