କିଏ ଏହି ଭୁବନ ବଦ୍ୟାକର ? କାହିଁକି ତାଙ୍କ ‘କାଚା ବାଦାମ୍’ ଗୀତ ଏବେ ପାଲଟିଛି ସୋସିଆଲ୍ ମିଡିଆ ସେନସେସନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଏକ ଗୀତର ରିଲ୍ ଓ ସର୍ଟସ୍ ବହୁଳ ଭାବେ ଭାଇରାଲ୍ ହୋଇଚାଲିଛି। ଏହି ଗୀତଟିର ନାମ ହେଉଛି ‘କାଚା ବାଦାମ୍’। ୟୁଟ୍ୟୁବରେ  ଏହି ଗୀତର ବିଭିନ୍ନ ସଂସ୍କରଣକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ।  କେବଳ ଦେଶର ନୁହନ୍ତି, ବିଦେଶର ଲୋକମାନେ ମଧ୍ୟ ‘କାଚା ବାଦାମ୍’ ଗୀତରେ ରିଲ୍ ବନାଉଛନ୍ତି। ଏହି ଗୀତଟିକୁ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବଦ୍ୟାକର ଗାଇଛନ୍ତି। ସେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି‘କାଚା ବାଦାମ୍’ ଗୀତ ଗାଆନ୍ତି।

‘କାଚା ବାଦାମ’ର ଅର୍ଥ ହେଉଛି କଞ୍ଚା ବାଦାମ। ଖବର ମୁତାବକ ଭୁବନ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ରହନ୍ତି। ତାଙ୍କ ଘର ଦୁବରାଜପୁର ବ୍ଲକ ଅନ୍ତର୍ଗତ କୁରାଲଜୁରି ଗ୍ରାମରେ। ଭୁବନଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅ।

ସକାଳ‌ ହେଲେ ସେ ନିଜ  ସାଇକେଲରେ ବାଦାମ ବିକିବାକୁ ଦୂର ଗାଁକୁ ଯାଇଥାନ୍ତି।  ଦିନକୁ ୩-୪ କିଲୋ ବାଦାମ ବିକ୍ରି କରନ୍ତି ଓ ୨୦୦ ରୁ ୨୫୦ ଟଙ୍କା ଆୟ କରନ୍ତି। କଞ୍ଚା ବାଦାମ ବିକ୍ରି  ଲାଗି ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଏକ ଗୀତ ଗାଇଥାଆନ୍ତି, ଯାହା ଆଜି ବେଶ୍ ଲୋକପ୍ରିୟ। ଭୁବନଙ୍କ ଗୀତକୁ ନେଇ ଏକ ରିମିକ୍ସ ଗୀତ ମଧ୍ୟ ବନା ହୋଇଛି। ଏହାକୁ ‘ଗୋଧୁଲି ବେଟା ମ୍ୟୁଜିକ’ ନାମକ ୟୁଟ୍ୟବ୍ ଚ୍ୟାନେଲରେ ଡିସେମ୍ବର ୨୬ରେ ଅପଲୋଡ୍ କରା ହୋଇଛି। ଯାହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ୧୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏହାଛଡା ତାଙ୍କ ଗୀତର ରିଲ୍ ଗୁଡିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। କାଚା ବାଦାମ୍ ନୃତ୍ୟ ଚ୍ୟାଲେଞ୍ଜ୍ ମଧ୍ୟ ଆରମ୍ଭ ହୋଇଯାଇଛି। ଲୋକମାନେ ଏହି ଗୀତରେ ବିଭିନ୍ନ ପ୍ରକାର ନୃତ୍ୟ ଷ୍ଟେପ୍ସ କରୁଛନ୍ତି। କିଛି ଲୋକ ଭୁବନଙ୍କ ପାଖକୁ ଯାଇ ମଧ୍ୟ ଭିଡିଓ ବନାଉଛନ୍ତି।

ଭୁବନଙ୍କ ସ୍ଵର ସାରା ଦୁନିଆରେ ପହଞ୍ଚିବା ପରେ ମଧ୍ୟ ତାଙ୍କ ଆର୍ଥିକ ସ୍ଥିତି ସୁଧୁରି ନାହିଁ। ମିଡିଆ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି, ସେ ଚାହୁଁଛନ୍ତି ତାଙ୍କ ଗୀତ ଅଧିକ ଲୋକଙ୍କ ପାଖକୁ ପହଞ୍ଚୁ। ସରକାର ମୋର ଓ ମୋ ପରିବାରର ରହିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ। ମୁଁ ତାଙ୍କୁ ଭଲ ଖାଦ୍ୟ ଖୁଆଇବାକୁ ଚାହୁଁଛି ଓ ଭଲ ପୋଷାକ ପିନ୍ଧେଇବାକୁ ଚାହୁଁଛି।

ସମ୍ବନ୍ଧିତ ଖବର