ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କାଜଲ ଭାରତ ‘ଅପାଠୁଆ’ ନେତାମାନଙ୍କ ଦ୍ବାରା ଶାସିତ ହେଉଛି ବୋଲି ମନ୍ତବ୍ୟ ଦେଇ ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତ୍‌କାରରେ କାଜଲ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଗତି ଅତି ମନ୍ଥର କାରଣ ଲୋକମାନେ ନିଜର ପରମ୍ପରାକୁ ଧରି ବସିଛନ୍ତି ଏବଂ ଉପଯୁକ୍ତ ଶିକ୍ଷା ନାହିଁ। ସେ ମଧ୍ୟ ଅପାଠୁଆ ରାଜନେତାମାନେ ଦେଶ ଚଳାଉଥିବା ବିଷୟରେ କହିଥିଲେ। ଏହାପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ପକ୍ଷରୁ ଛୁଟିଥିଲା ସମାଲୋଚନାର ସୁଅ।

Advertisment

କାଜଲଙ୍କ ମନ୍ତବ୍ୟ ଉପରେ ଜଣେ ପ୍ରତିକ୍ରିୟା ପ୍ରକାଶ କରି ଟ୍ବିଟ୍ କରିଛନ୍ତି, ପ୍ରିୟାପ୍ରୀତିତୋଷଣ ଯୋଗୁ ଉପରକୁ ଉଠିଥିବା ଏହି କାଜଲ ଜଣେ ମୂର୍ଖ ସ୍କୁଲ୍ ଡ୍ରପ୍‌ଆଉଟ୍‌। ତାଙ୍କ ସ୍ବାମୀ କ୍ୟାନ୍‌ସର ବିକ୍ରି କରନ୍ତି ଆଉ ୟାଙ୍କ ଓଭରକନଫିଡେନ୍ସକୁ ଦେଖ। ଆଉ ଜଣେ ଲେଖିଛନ୍ତି, କାଜଲ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଛନ୍ତି। ଆଉ କିଛି ଲୋକ କାଜଲଙ୍କୁ ସମର୍ଥନ ବି କରିଛନ୍ତି। ଜଣେ ଲେଖିଛନ୍ତି, ସେ ନିଜକୁ ଉଚ୍ଚଶିକ୍ଷିତ ବୋଲି ତ କହୁନାହାନ୍ତି। କିନ୍ତୁ ତାଙ୍କର କିଛି ନକଲି ଡିଗ୍ରି ନାହିଁ। ଜଣେ ଲେଖିଛନ୍ତି, ସେ (କାଜଲ) ପାଠ ପଢ଼ି ନ ଥିଲେ କ’ଣ ହେଲା, ସେ କ’ଣ ଦେଶ ଚଳାଉଛନ୍ତି? ସେ ତାଙ୍କ ବ୍ୟବସାୟ ଓ ପରିବାର କଥା ବୁଝୁଛନ୍ତି। ଅପାଠୁଆ ରାଜନେତାଙ୍କ ପରି ନକଲି ଡିଗ୍ରି ଦେଖାଇ ସେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉନାହାନ୍ତି।

ପରେ କାଜଲ ନିଜ ମନ୍ତବ୍ୟ ଉପରେ ସଫେଇ ଦେଇ କହିଛନ୍ତି, ଶିକ୍ଷାର ଗୁରୁତ୍ବ ଉପରେ କହିବା ଥିଲା ତାଙ୍କ ଉଦ୍ଦେଶ୍ୟ। କୌଣସି ରାଜନେତାଙ୍କୁ ହୀନ ପ୍ରତିପାଦିତ କରିବା ପାଇଁ ସେ ଏହା କହିନାହାନ୍ତି। ଆମ ଦେଶରେ ଅନେକ ମହାନ ରାଜନେତା ଅଛନ୍ତି ଓ ସେମାନେ ଦେଶକୁ ଠିକ୍ ମାର୍ଗରେ ପରିଚାଳିତ କରୁଛନ୍ତି ବୋଲି କାଜଲ ସଫେଇ ଦେଇଛନ୍ତି।