ମୁମ୍ବାଇ: ସୋସିଆଲ୍ ମିଡିଆ ବ୍ୟବହାର କରିବା ଆଜିକାଲି ସମସ୍ତଙ୍କ ପାଇଁ ଯେପରି ଜରୁରୀ ହୋଇପଡ଼ିଛି । ଏଥିରୁ ଦୂରେଇ ରହିବା ଲୋକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ତାହା ସତ୍ତ୍ବେ ବି ଗତକାଲି ଏକ ବଡ଼ ଘୋଷଣା କରିଥିଲେ ଅଭିନେତ୍ରୀ କାଜଲ। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ‘ଏକ କଠିନ ପରୀକ୍ଷଣର ସମ୍ମୁଖୀନ ହେଉଛି’ ବୋଲି ଏକ ପୋଷ୍ଟ୍ କରିଥିଲେ। ତାହାର କ୍ୟାପ୍ସନ୍ରେ ସୋସିଆଲ ମିଡିଆରୁ ବିରତି ନେଉଛି ବୋଲି ଉଲ୍ଲେଖ କରିଥିଲେ।
ହେଲେ ନିଜର କଥା ରଖିନପାରି ଟ୍ରୋଲର୍ସଙ୍କୁ ସାମ୍ନା କରିଛନ୍ତି ଅଭିନେତ୍ରୀ। ସେ କରିଥିବା ପୋଷ୍ଟ୍କୁ ଗୋଟାଏ ଦିନ ନହେଉଣୁ କାଜଲଙ୍କୁ ସାମାଜିକ ଗଣମାଧ୍ୟମରେ ପୁଣି ଥରେ ସକ୍ରିୟ ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି।
କାଜଲ ଗତକାଲି ବିରତି ନେବା କଥା ଉଲ୍ଲେଖ କରିଥିବା ବେଳେ ଆଜି ତାଙ୍କ ଫିଲ୍ମର ପୋଷ୍ଟ୍ରକୁ ନିଜ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି। ତାଙ୍କର ଏହି ପୋଷ୍ଟ୍ ଦେଖି ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି।
ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ବହୁତ ଖରାପ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା’। ଅନ୍ୟ ଜଣେ ଲେଖିଛନ୍ତି, ‘ଏହାଠାରୁ ଭଲ ପବ୍ଲିସିଟି ଷ୍ଟଣ୍ଟ୍ ଆଉ କିଛି ନଥିଲା କି?’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣଙ୍କୁ ଆଉ ଭରସା କରିହେବ ନାହିଁ’।
ବଲିଉଡ ଅଭିନେତ୍ରୀ କାଜଲ ଶୁକ୍ରବାର ଦିନ ତାଙ୍କର ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଥିଲେ। ହୁଏତ ତାହା ସେ ଆର୍କାଇଭ୍ ବା ହାଇଡ୍ କରି ଦେଇଥିଲେ। ଅର୍ଥାତ୍ ସେ ତାଙ୍କ ଫଟୋଗୁଡ଼ିକୁ ଅସ୍ଥାୟୀ ଭାବରେ ଲୁଚାଇ ଦେଇ କିଛି ଦିନ ପାଇଁ ସୋସିଆଲ୍ ମିଡିଆକୁ ବାୟ ବାୟ କରିବା କଥା କହିଥିଲେ। କିନ୍ତୁ ଏହାର ଦିନକ ପରେ ପୁଣି ପୋଷ୍ଟ କରି ସମାଲୋଚିତ ହୋଇଛନ୍ତି।