ମୁମ୍ବାଇ: ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି। ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ ବଳପୂର୍ବକ କୁହାଯାଉଛି। ଅତୀତରେ ଏନେଇ ଅନେକ ବିବାଦ ହେବା ସହ ହିଂସା ମଧ୍ୟ ହୋଇସାରିଛି। ଅନେକ କଳାକାର ହିନ୍ଦୀ ଏବଂ ମରାଠୀ ଭାଷା କହିବା ଉପରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏବେ ଅଭିନେତ୍ରୀ କାଜୋଲଙ୍କ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମରାଠୀରେ କଥା ହେଉଛନ୍ତି। ଯେତେବେଳେ ତାଙ୍କୁ ହିନ୍ଦୀରେ କହିବାକୁ କୁହାଯାଉଛି, ସେ ହିନ୍ଦୀରେ କହିବାକୁ ମନା କରିଦେଇଛନ୍ତି। ତେବେ ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।
ଏକ ସାକ୍ଷାତକାରରେ କାଜୋଲ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ମରାଠୀରେ ଦେଇଥିଲେ। ଯେତେବେଳେ ତାଙ୍କୁ ହିନ୍ଦୀରେ କହିବାକୁ କୁହାଯାଇଥିଲା, ସେ ରାଗିଯାଇଥିଲେ। ସେ କହିଥିଲେ, 'ଏବେ ପୁଣି ମୁଁ ହିନ୍ଦୀରେ କହିବି, ଯିଏ ବୁଝିବା ଲୋକ ସେ ବୁଝିଯିବ।' ତାଙ୍କର ଏଭଳି ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି।
ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଅଭିନେତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ଏବଂ ତାଙ୍କୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ବନ୍ଦ କରିଦେବା ଉଚିତ୍ ବୋଲି କହିଛନ୍ତି। "ଯଦି ସେ ହିନ୍ଦୀ ଭାଷାରେ କଥା ହେବାକୁ ଅସହଜ ଏବଂ ଲଜ୍ଜିତ ଅନୁଭବ କରୁଛନ୍ତି, ତେବେ ତାଙ୍କୁ ବଲିଉଡ୍ ହିନ୍ଦୀ ସିନେମାରେ କାମ କରିବା ବନ୍ଦ କରିବା ଉଚିତ। ତାଙ୍କୁ ତାଙ୍କର ଦୋମୁହାଁ ନୀତି ଛାଡିବା ଉଚିତ" ବୋଲି ଜଣେ ବ୍ୟବହାରକାରୀ ଲେଖିଛନ୍ତି। "ସେ ହିନ୍ଦୀ ଫିଲ୍ମରେ କାହିଁକି କାମ କରୁଛନ୍ତି? ତାଙ୍କୁ କେବଳ ମରାଠୀ ଫିଲ୍ମରେ କାମ କରିବା ଉଚିତ" ବୋଲି ଅନ୍ୟଜଣେ ଲେଖିଛନ୍ତି।