ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ମନ୍ତବ୍ୟ ଦେଉଥିବା ବେଳେ ଭୁଲ ନାଁ ନେଇ ଟ୍ରୋଲ ହେଲେ କମାଲ ଆର୍‌ ଖାନ୍‌

ମୁମ୍ବାଇ : ଗତ ଶୁକ୍ରବାର ରିଲିଜ୍‌ ହୋଇଥିଲା ଫିଲ୍ମ ମଣିକର୍ଣ୍ଣିକା । ଫିଲ୍ମର ମୂଖ୍ୟ ଭୂମିକାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନଜର ଆସିଥିବା ବେଳେ ରିଲିଜ୍‌ ପରେ ଏହାକୁ ମିଶ୍ର ପ୍ରତିକ୍ରିୟା ମିଳିଛି । କିଛି ସମାଲୋଚକମାନେ ଫିଲ୍ମକୁ ଭଲ ବୋଲି କହିଥିବା ବେଳେ କିଛି ଏହାକୁ ଖାସ୍‌ ନୁହେଁ ବେୋଲି କହିଛନ୍ତି । ଏ ମଧ୍ୟରେ କମାଲ ଆର୍‌ ଖାନ୍‌ ମଧ୍ୟ ଫିଲ୍ମକୁ ନେଇ ନିଜର ମତାମତ ଦେଇଥିଲେ । କିନ୍ତୁ ମନ୍ତବ୍ୟ ଦେବା ସମୟରେ ସେ କରିଥିବା ଭୁଲ ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।

ସୂଚନା ମୁତାବକ,କମାଲ ଆର୍‌ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ଫିଲ୍ମକୁ ନେଇ ନିଜର ମତ ରଖିଥିଲେ । “ଫିଲ୍ମ ମଣିକର୍ଣ୍ଣିକା ରାଣୀ ଲକ୍ଷ୍ମୀବାଈଙ୍କ ଉପରେ ଆଧାରିତ । ମୁଁ ସ୍କୁଲରେ ଇତିହାସରେ କାହାଣୀ ପଢ଼ିଥିଲି । କିନ୍ତୁ ଫିଲ୍ମ ଦେଖିବା ପରେ ବାସ୍ତବରେ କ’ଣ ଘଟିଥିଲା ମୁଁ ଜାଣି ପାରିଲି । ରାଣୀ ଲକ୍ଷ୍ମୀବାଈ ୧୮୫୭ରେ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଇଥିଲେ । ୧୮୫୮ରେ ସେ ବୀରଗତି ପ୍ରାପ୍ତ କରିଥିଲେ । ଯେତେବେଳେ ବ୍ରିଟିଶମାନେ ସାରା ଭାରତରେ ନିଜ ରାଜୁତି ଚଳାଉଥିଲେ,ସେତେବେଳେ ଭଗତ ସିଂହ ମେରଠରେ ସ୍ୱାଧୀନତାର ବିଗୁଲ ବଜାଇ ଦେଇଥିଲେ” ବୋଲି କହିଥିଲେ କମାଲ ଆର୍‌ ଖାନ୍‌ ।

ଏହି ଭିଡିଓରେ ସେ ଭଗତ ସିଂହଙ୍କ ନାଁ ନେଇ ଭୁଲ କରି ଦେଇଥିଲେ । କାରଣ ଭଗତ ସିଂହଙ୍କ ଜନ୍ମ ୧୯୦୭ ମସିହାରେ ହୋଇଥିଲା । ଯାହା ପୂର୍ବରୁ ରାଣୀ ଲକ୍ଷ୍ମୀବାଇ ସ୍ୱାଧୀନତା ସଂଗ୍ରାମ ଲଢ଼ି ସାରିଥିଲେ । ନିଜ ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯିବା ପରେ ସେ ଟୁଇଟ୍‌ କରି ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ । ମୁଁ ଭୁଲରେ ମଙ୍ଗଲ ପାଣ୍ଡେଙ୍କ ସ୍ଥାନରେ ଭଗତ ସିଂହଙ୍କ ନାଁ କହି ଦେଇଥିଲି ବୋଲି କମାଲ ଟୁଇଟ୍‌ କରି ଭୁଲ ମାଗିଥିଲେ ।

ସମ୍ବନ୍ଧିତ ଖବର