ପ୍ରଭାସଙ୍କ ‘ପ୍ରୋଜେକ୍ଟ କେ’ରେ ଅଭିନୟ ପାଇଁ କମଲ ହାସନଙ୍କୁ ୧୫୦ କୋଟି ଯଚାଯାଇଥିଲା!

ମୁମ୍ବାଇ: ଅଭିନେତା କମଲ ହାସନ, ଯେ କି ବର୍ତ୍ତମାନ ‘ଇଣ୍ଡିଆନ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି, ତାଙ୍କୁ ପ୍ରଭାସଙ୍କ ଅଭିନୀତ ‘ପ୍ରୋଜେକ୍ଟ କେ’ରେ ନକାରାତ୍ମକ ଭୂମିକାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ନିର୍ମାତାମାନେ ହାସନଙ୍କ ସହ କଥାବାର୍ତ୍ତା କରିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଚୁକ୍ତିରେ ସ୍ବାକ୍ଷର କରିନାହାନ୍ତି।
ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଗୁଞ୍ଜନ ଶୁଣିବାକୁ ମିଳିଥିଲା ଯେ, ପ୍ରଡ୍ୟୁସର ଅଶ୍ବିନୀ ଦତ୍ତ କମଲ ହାସନଙ୍କୁ ସାକ୍ଷାତ୍ କରି ‘ପ୍ରୋଜେକ୍ଟ କେ’ରେ ନକାରାତ୍ମକ ଭୂମିକାରେ ଅଭିନୟ କରିବା ପାଇଁ ୧୫୦ କୋଟି ଟଙ୍କାର ପାରିତୋଷିକ ଯାଚିଥିଲେ।

ତେବେ ଫିଲ୍ମ ସଂସ୍ଥାର ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଅଭିନୟ ପାଇଁ ହାସନଙ୍କୁ ପ୍ରସ୍ତାବ ଦିଆଯିବା କଥା ସତ ମାତ୍ର ଏଥିପାଇଁ ୧୫୦ କୋଟି ଟଙ୍କା ଯଚାଯିବା କଥା‌େର କୌଣସି ସତ୍ୟତା ନାହିଁ। ଉକ୍ତ ସୂତ୍ର ଅନୁଯାୟୀ- କମଲ ହାସନଙ୍କ ସହ କଥାବାର୍ତ୍ତା ଚାଲିଛି। ସେ ଏପର୍ଯ୍ୟନ୍ତ ‘ହଁ’ କରିନାହାନ୍ତି। ତାଙ୍କ ପାଖରୁ ‘ହଁ’ ବା ‘ନା’ ଆଦାୟ କରିବା ପାଇଁ ଆଉ ସପ୍ତାହେ ଦୁଇ ସପ୍ତାହ ଲାଗିପାରେ। ଇତିମଧ୍ୟରେ ‘ପ୍ରୋଜେକ୍ଟ କେ’ର ସୁଟିଂ ୭୦ ପ୍ରତିଶତ ସରିଲାଣି ବୋଲି ଜଣାପଡ଼ିଛି।

ନିକଟରେ ଏକ ତେଲୁଗୁ ଚାନେଲ ‘ତେଲୁଗୁୱାନ୍’କୁ ସାକ୍ଷାତ୍‌କାର ଦେଇ ପ୍ରଯୋଜକ ଅଶ୍ବିନୀ ଦତ୍ତ ପ୍ରକଳ୍ପ ବିଷୟରେ ଅନେକ କଥା କହିଥିଲେ। ଦତ୍ତ କହିଥିଲେ, ଏହା ଏକ ଗ୍ରାଫିକ୍ସ ହେଭି ଫିଲ୍ମ ହେବାକୁ ଯାଉଛି। ଆମେ ଗ୍ରାଫିକ୍ସ ଉପରେ କାମ ଆରମ୍ଭ କରିବାର ଇତିମଧ୍ୟରେ ୫ ମାସ ହୋଇଗଲାଣି। ଆସନ୍ତାବର୍ଷ ବି ଏହା ଚାଲିବ। ଆମେ ଏପର୍ଯ୍ୟନ୍ତ ସୁଟିଂର ୭୦ ପ୍ରତିଶତ କାମ ଶେଷ କରିଛୁ।

ସମ୍ବନ୍ଧିତ ଖବର