ଜୟଲଳିତାଙ୍କ ପରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ଥାଲାଇଭି’ ପାଇଁ କଙ୍ଗନା ରାନାୱତ ସମ୍ପ୍ରତି ଖବରରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ହୋଇଛି ଏବଂ କରୋନା କାରଣରୁ ଏହା ରିଲିଜ୍ ହୋଇପାରି ନାହିଁ | ତେବେ ଜୟଲଳିତାଙ୍କ ପରେ ଏବେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସିକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହେବ | କଙ୍ଗନା କହିଛନ୍ତି ଯେ ସେ ୧୯୭୫ରେ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏକ ଫିଲ୍ମ କରୁଛନ୍ତି। ଫିଲ୍ମର ନାମ ମଧ୍ୟ ‘ଏମର୍ଜେନ୍ସି’ ରଖାଯାଇଛି | ଯେଉଁଥିରେ ସେ ନିଜେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ |

କଙ୍ଗନା ରାନାୱତଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ ଏହି ଚଳଚ୍ଚିତ୍ର ନିର୍ମାଣ କରିବ। କଙ୍ଗନା କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ୍ ନୁହେଁ। ଏହି ଚଳଚ୍ଚିତ୍ରରେ ଏମର୍ଜେନ୍ସି ସମୟର କାହାଣୀ ପ୍ରଦର୍ଶିତ ହେବ | କଙ୍ଗନା ରାନାୱତ ଗତ ବର୍ଷ ତାଙ୍କ ଚଳଚ୍ଚିତ୍ର ‘ଥାଲାଇଭି’ରେ ବ୍ୟସ୍ତ ଥିଲେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ କଙ୍ଗନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ କଙ୍ଗନା ମଧ୍ୟ ବହୁ ଓଜନ ହାସଲ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା |

କଙ୍ଗନାଙ୍କ ସହ ଫିଲ୍ମରେ ତାମିଲ ସୁପରଷ୍ଟାର ଅରବିନ୍ଦ ସ୍ୱାମୀ ନଜର ଆସିବେ। ନିର୍ମାତାମାନେ ଚଳିତ ବର୍ଷ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା କରିଥିଲେ। କରୋନା କାରଣରୁ ରିଲିଜକୁ ସ୍ଥଗିତ ରଖାଯାଇଥିଲା |

ସମ୍ବନ୍ଧିତ ଖବର