ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।
ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। କଙ୍ଗନାଙ୍କୁ ନିକଟରେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିସହିତ ଭାରତର ନାଗରିକତା ଗ୍ରହଣ କରିଥିବା ଲୋକପ୍ରିୟ ମୂଳ ପାକିସ୍ତାନୀ ଗାୟକ ଅଦନାନ ସାମୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପ୍ରଦାନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଆୟୋଜିତ ଚାରୋଟି ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତାଲିକାରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଏକତା କପୁର ଓ ଗାୟକ ଏସପି ବାଲାସୁବ୍ରହ୍ମଣ୍ୟମ୍ ରହିଛନ୍ତି। ଏମାନଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି।
President Kovind presents Padma Shri to Ms Kangana Ranaut for Art. She is an Indian film actress and filmmaker, who is widely recognised as an actress par excellence. pic.twitter.com/xOqBAt1VoA
— President of India (@rashtrapatibhvn) November 8, 2021
ସୁନେଲି ରଙ୍ଗର ଶାଢ଼ି ପିନ୍ଧି କଙ୍ଗନା ରାନାୱତ ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। କଙ୍ଗନା ଜୟଲଳିତାଙ୍କ ବାୟୋପିକ୍ 'ଥଲାଇଭି’ରେ ଶେଷ ଥର ପାଇଁ ନଜର ଆସିଥିଲେ। ନିକଟରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ କଙ୍ଗନା ରାଣାୱତଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। କଙ୍ଗନା ତାଙ୍କର ଦୁଇଟି ଚଳଚ୍ଚିତ୍ର ‘ମାଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ଏହି ପୁରସ୍କାର ଗ୍ରହଣ କରିଥିଲେ ।