ଘର ମରାମତି ନକରିବା ପାଇଁ ସ୍ଥପତିଙ୍କୁ ଧମକ ଦିଆଯାଉଛି; ଟୁଇଟ କରି ବିଏମସି ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ କଙ୍ଗନା

ମୁମ୍ବାଇ: ବଲିଉଡର ଅଭିନେତ୍ରୀ କଙ୍ଗନା ରାନାୱତ ପୁଣି ଥରେ ବିଏମସିକୁ ଟାର୍ଗେଟ କରିଛନ୍ତି। କଙ୍ଗନା ନିଜ ଟ୍ୱିଟରେ ଅଭିଯୋଗ କରିଛନ୍ତି ଯେ ବିଏମସିର ଧମକ ଯୋଗୁଁ ତାଙ୍କ କାର୍ଯ୍ୟାଳୟର ମରାମତି ପାଇଁ କୌଣସି ସ୍ଥପତି ରାଜି ହେଉନାହାନ୍ତି । ୬ମାସ ତଳେ ବ୍ରିହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ପ୍ରଥମେ କଙ୍ଗନାଙ୍କ କାର୍ଯ୍ୟାଳୟରେ ଏକ ନୋଟିସ୍‌ ଝୁଲାଇ ମାତ୍ର ୨୪ ଘଣ୍ଟାର ମହଲତ ଦେବାର ପରଦିନ ଯାଇ ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ଆରମ୍ଭ କରିଥିଲା। ଏହି ଘଟଣାକୁ ୬ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କଙ୍ଗନାଙ୍କ କାର୍ଯ୍ୟାଳୟର ମରାମତି ହୋଇପାରିନାହିଁ। ଏନେଇ ସେ ଟ୍ୱିଟ କରି ବିଏମ୍‌ସିକୁ ଦାୟୀ କରିଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ମୁଁ ବିଏମ୍‌ସି ବିରୋଧରେ ମାମଲା ଜିତିଛି। ବର୍ତ୍ତମାନ ମୋତେ କ୍ଷତିପୂରଣ ଆକାରରେ ଜଣେ ସ୍ଥପତି ଯୋଗାଇଦେବା ପାଇଁ ଏକ ଆବେଦନ ଦାଖଲ କରିବାକୁ ପଡ଼ିବ। କୌଣସି ସ୍ଥପତି ମୋ କାର୍ଯ୍ୟାଳୟର ମରାମତି କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନେ କହୁଛନ୍ତି ଯେ, ମୋ କାର୍ଯ୍ୟାଳୟର ମରାମତି କଲେ ବିଏମ୍‌ସି ସେମାନଙ୍କ ଲାଇସେନ୍ସ ରଦ୍ଦ କରିଦେବ। ତେବେ ୬ମାସ ପରେ ମଧ୍ୟ କଙ୍ଗନାଙ୍କୁ ସ୍ଥପତି ମିଳୁନଥିବାରୁ ଏବେ ସେ ପୁଣି ଥରେ ବିଏମସିକୁ ଟାର୍ଗେଟ କରିଛନ୍ତି।

ସମ୍ବନ୍ଧିତ ଖବର