ସୋସିଆଲ୍‌ ମିଡିଆରେ ପାଦ ରଖିଲେ ଅଭିନେତ୍ରୀ କଙ୍ଗନ‌ା, ଟ୍ବିଟର୍‌ରେ ଭିଡିଓ ଜାରି କରି ଜଣାଇଲେ ମନ କଥା

ମୁମ୍ବାଇ: ଟ୍ଵିଟର୍‌ରେ ଯୋଗ ଦେଲେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ସେ ଟ୍ଵିଟର୍‌ରେ ତାଙ୍କର ଏକ ଭିଡିଓ ସେୟାର କରି ଲେଖିଛନ୍ତି କି ‘ଏହି ଭିିଡିଓ ମୋ ଟ୍ଵିଟର୍‌ ପରିବାର ପାଇଁ’।

ଏହି ଭିଡିଓରେ କଙ୍ଗନା ହିନ୍ଦୀ ଭାଷାରେ କହୁଥିବାର ଶୁଣିବାକୁ ମିଳିଛି କି ‘ଫିଲ୍ମରେ କାମ କରିବାର ୧୫ ବର୍ଷ ହୋଇଗଲାଣି। ଏହି ବର୍ଷଗୁଡ଼ିକ ମଧ୍ୟରେ ମୋତେ ଅନେକ ପରିସ୍ଥିତି ସୋସିଆଲ୍‌ ମିଡିଆରେ ଯୋଗ ଦେବା ପାଇଁ ଚାପ ପକାଇଛି । କିଛି ବ୍ରାଣ୍ଡ୍‌ ଆଉ ଏଜେନ୍ସି ଏକଥା ଜାଣନ୍ତି କି କୋଟି କୋଟି ଟଙ୍କାର ଚୁକ୍ତିକୁ ମୁଁ ପଛ କରି ଦେଇଛି କେବଳ ସୋସିଆଲ୍‌ ମିଡିଆରେ ଆସିବି ନାହିଁ ବୋଲି। ମୋତେ କେହି କେହି ‘ଚୁଡେଲ୍’‌ କହନ୍ତି, ମୋ ପାଦ ଓଲଟା ବୋଲି କହନ୍ତି। ସେମାନେ ଏହି ଜିନିଷର ଫାଇଦା ଉଠାନ୍ତି କି ମୁଁ ସୋସିଆଲ୍‌ ମିଡିଆରେ ନାହିଁ। ବାସ୍ତବ କଥା ହେଲା ମୁଁ ସୋସିଆଲ୍‌ ମିଡିଆରେ ନ ରହି ମଧ୍ୟ ମୋର ପ୍ରଶଂସକଙ୍କଠାରୁ ମୁଁ କେବେ ବି ନିଜକୁ ଦୂରରେ ଥିବା ଭଳି ଅନୁଭବ କରିନି। ମୋତେ ମୋ ପ୍ରଶଂସକମାନଙ୍କୁ ଯଦି କିଛି କହିବାର ହେବ ତ ମୁଁ ସୋସିଆଲ୍‌ ମିଡିଆରେ ସିଧାସଳଖ କାହିଁକି କହିବି? ମୁଁ ଚଳଚ୍ଚିତ୍ର ଜରିଆରେ, କଳାକାର ଢ଼ଙ୍ଗରେ କାହିଁକି କହିବିନି ବୋଲି ସଦା ଭାବିଥାଏ। ମାତ୍ର ସୁଶାନ୍ତ ସିଂହ ରାଜପୁତକୁ ନ୍ୟାୟ ଦେବାକୁ ଯେପରି ଭାବେ ସାରା ବିଶ୍ବ ସୋସିଆଲ୍‌ ମିଡିଆ ସାହାରାରେ ହିଁ ଏକାଠି ହୋଇଗଲେ ମୋତେ ସେତେବେଳେ ସୋସିଆଲ୍‌ ମିଡିଆର ଶକ୍ତି ବିଷୟରେ ଜଣାପଡ଼ିଲା। ମୋର ଆଶା ଅଛି ଯେ ସୋସିଆଲ୍‌ ମିଡିଆରେ ଆମେ ସମନ୍ତେ ସାଥି ହୋଇ ନୂଆ ଭାରତ ଗଠନ ପାଇଁ ସ୍ୱର ଉଠାଇ ପାରିବା। ଏପରି ଭାବିବା ପରେ ପ୍ରଥମ ଥର ପାଇଁ ମୁଁ ଟ୍ଵିଟର୍‌ ଜରିଆରେ ସୋସିଆଲ୍‌ ମିିଡିଆରେ ଯୋଗ ଦେଇଛି। ଆପଣମାନଙ୍କ ସହଯୋଗ ଆବଶ୍ୟକ।’

ସମ୍ବନ୍ଧିତ ଖବର