ମୁମ୍ବାଇ: ୨୦ମାସ ପରେ ଟ୍ବିଟରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ମେ’ ୨୦୨୧ରେ ତାଙ୍କର ଟ୍ବିଟର ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ବେଳେ ଜାନୁଆରି ୨୪ରେ ଏହାକୁ ପୁଣି ଥରେ ସକ୍ରିୟ କରାଯାଇଛି। ଆକାଉଣ୍ଟ ସକ୍ରିୟ ହେବା ପରେ ତୁରନ୍ତ କଙ୍ଗନା ପ୍ରଥମ ଟ୍ବିଟ କରିଥିଲେ। ନିଜର ଆଗାମୀ ଫିଲ୍ମ ‘ଏମର‌ଜେନ୍ସି’ର ସୁଟିଂ ଶେଷ ହେବା ଖବର ଦେଇ ଏହାର ରିଲିଜ୍ ତାରିଖ ଘୋଷଣା କରିଥିଲେ କଙ୍ଗନା।

Advertisment

ଏହା ପରେ ପରେ କଙ୍ଗନା ସବୁଥର ଭଳି ଏଥର ମଧ୍ୟ ବଲିଉଡକୁ ଟାର୍ଗେଟ କରିବା ଭୁଲି ନଥିଲେ। ବୁଧବାର ସକାଳେ ସେ କିଛି ଟ୍ବିଟ କରି ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ତର ତଳକୁ ଖସୁଥିବା ଲେଖିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, "ଫିଲ୍ମ ଇଣ୍ଡଷ୍ଟ୍ରି ଏତେ ତଳକୁ ଖସିଯାଇଛି ଯେ ଯେତେବେଳେ ବି ସେମାନେ କିଛି ପ୍ରୟାସ କିମ୍ବା କିଛି କଳାତ୍ମକ ସଫଳତା ଦେଖାଇବାକୁ ଚାହାଁନ୍ତି, ସେତେବେଳେ ସେମାନେ ତୁମ ମୁହଁକୁ ଟଙ୍କା ଫିଙ୍ଗନ୍ତି , ଯେପରି କଳାର କୌଣସି ଅନ୍ୟ ଉଦ୍ଦେଶ୍ୟ ହିଁ ନାହିଁ। ଏପରି କରିବା ସେମାନଙ୍କର ନିମ୍ନସ୍ତରକୁ ଦର୍ଶାଏ।"

ଏହା ପରେ କଙ୍ଗନା ରାଣାୱତ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ ପ୍ରାଚୀନ କାଳରେ ମନ୍ଦିରରେ କଳା ପ୍ରଦର୍ଶିତ ହେଉଥିଲା ଏବଂ ପରେ ସାହିତ୍ୟ ଓ ଥିଏଟର ମାଧ୍ୟମରେ ଧୀରେ ଧୀରେ ଏହା ପ୍ରେକ୍ଷାଳୟରେ ପହଞ୍ଚିଲା। ଏହା ନିଶ୍ଚିତ ଭାବରେ ଏକ ଶିଳ୍ପ, କିନ୍ତୁ ଏହାକୁ ଅନ୍ୟ ବ୍ୟବସାୟ ଭଳି ବିଲିୟନ୍ / ଟ୍ରିଲିୟନ୍ ଡଲାର୍ ଲାଭ ପାଇଁ ପରିକଳ୍ପନା କରାଯାଇ ନାହିଁ। ସେଥିପାଇଁ କଳା ଓ କଳାକାରଙ୍କୁ ପୂଜା କରାଯାଏ, ଶିଳ୍ପପତି କିମ୍ବା ବିଲିୟନାୟାରଙ୍କୁ ନୁହେଁ।"