ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଛି। ୨୯ ବର୍ଷୀୟ ରାଜା ତାଙ୍କ ପତ୍ନୀ ସୋନମଙ୍କ ସହିତ ହନିମୁନ ପାଇଁ ମେଘାଳୟ ବୁଲିବାକୁ ଯାଇଥିବା ବେଳେ ତାଙ୍କ ମୃତଦେହ ମିଳିଥିଲା।
ମୃତଦେହ ମିଳିବା ପରେ ପତ୍ନୀ ସୋନମ, ତାଙ୍କ ପ୍ରେମିକ ଏବଂ ଅନ୍ୟ ଦୁଇଜଣଙ୍କ ସହ ମିଶି ରାଜାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣାକୁ ଅବାନ୍ତର ବୋଲି କହିବା ସହିତ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଏହା କେତେ ଅବାନ୍ତର !! ଜଣେ ମହିଳା ବିବାହକୁ ମନା କରିପାରିବେ ନାହିଁ କାରଣ ସେ ତାଙ୍କ ପିତାମାତାଙ୍କୁ ଭୟ କରନ୍ତି କିନ୍ତୁ ସେ ଜଣେ କଣ୍ଟ୍ରାକ୍ଟ କିଲର ସହିତ ହତ୍ୟା ଯୋଜନା କରିପାରିବେ।
ଆଜି ସକାଳ ଠାରୁ ମୋ ମନରେ ଏହି କଥା ହିଁ ଘାରି ହେଉଛି। ଯଦି ବିବାହରେ ମହିଳା ଜଣକ ଖୁସି ନଥିଲେ ସେ ଛାଡପତ୍ର ଦେଇପାରି ଥାଆନ୍ତେ ନଚେତ ପ୍ରେମିକ ସହ ଫେରାର ହୋଇଯାଇଥାଆନ୍ତେ କିନ୍ତୁ ଏସବୁ ନକରି ସେ ହତ୍ୟା ଭଳି ଏକ ଯୋଜନା କରିବାର କାରଣ କ’ଣ ହୋଇପାରେ। କେମିତି ଏମାନେ ଭାବି ନିଅନ୍ତି ଯେ ଜଣେ ମଣିଷକୁ ହତ୍ୟା କଲା ପରେ କେହି ଜାଣି ପାରିବେ ନାହିଁ।