ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ଏଭଳି ପରିସ୍ଥିତିରେ ତାଙ୍କୁ ମୁମ୍ବାଇ ପୁଲିସ ପକ୍ଷରୁ ୱାଇ ପ୍ଲସ୍ ବର୍ଗର ସୁରକ୍ଷା ଦିଆଯାଇଛି। ସେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସତର୍କତା ଅବଲମ୍ବନ କରୁଥିବା କହିଛନ୍ତି। ଏକ ସୋ’ରେ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଚାରିପାଖରେ ଏତେ ବନ୍ଧୁକ ଥିବା ଦେଖି ସେ ଭୟଭୀତ ଅଛନ୍ତି। ଏବେ ସଲମାନଙ୍କୁ ହତ୍ୟା ଧମକ ମିଳିବା ଏବଂ ତାଙ୍କୁ ଦିଆଯାଉଥିବା ସୁରକ୍ଷା ବିଷୟରେ କଙ୍ଗନାଙ୍କୁ ପଚରାଯିବରୁ ସେ କହିଛନ୍ତି, ସଲମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ ମୋଦୀଜୀଙ୍କ ସୁରକ୍ଷିତ ହାତରେ ଅଛନ୍ତି।
ସୂଚନା ମୁତାବକ, କଙ୍ଗନା ରାନାୱତ ଏପ୍ରିଲ ୩୦ରେ ହରିଦ୍ୱାର ଯାଇଥିଲେ। ସେଠାରେ ସେ ଗଙ୍ଗା ଆରତୀ କରିଥିଲେ ଏବଂ ପରେ ଗଣମାଧ୍ୟମ ସହିତ କଥା ହୋଇଥିଲେ। ଏହି ସମୟରେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ସଲମାନ ଖାନଙ୍କ ସୁରକ୍ଷା ଉପରେ ମଧ୍ୟ ନିଜର ମତ ଦେଇଥିଲେ। ସେ କହିଥିଲେ, 'ଆମର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଜଣେ ବଡ ବଡ଼ ମହାନ ବ୍ୟକ୍ତି। ସଲମାନ ଖାନଙ୍କୁ ଯେଉଁ ସୁରକ୍ଷା ମିଳିଛି, ନିଶ୍ଚିତ ଭାବରେ କେନ୍ଦ୍ରରୁ ତାଙ୍କୁ ସୁରକ୍ଷା ମିଳିଛି। ତେଣୁ ଯାହାଙ୍କ ସୁରକ୍ଷା ନିଜେ ନରେନ୍ଦ୍ର ମୋଦୀଜୀ ଏବଂ ଅମିତ ଶାହାଜୀ କରୁଛନ୍ତି, ଆମକୁ ସେଥିପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ। ମୁଁ ନିଶ୍ଚିତ ଯେ ସଲମାନଙ୍କୁ ଭଲ ସୁରକ୍ଷା ଯୋଗାଇ ଦିଆଯାଉଛି। ଯେତେବେଳେ ମୋତେ ଧମକ ଦିଆଗଲା, ସେତେବେଳେ ମୁଁ ମଧ୍ୟ ସୁରକ୍ଷା ପାଇଲି। ତେଣୁ ମୁଁ କହୁଛି ଯେତେବେଳେ ଦେଶ ଭଲ ହାତରେ ଅଛି ଆମେ କାହିଁକି ଚିନ୍ତା କରିବା? ଆମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।