ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି' ର ସୁଟିଂ ଶେଷ କରିଛନ୍ତି। ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ସେ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ବିଷୟରେ ଘୋଷଣା କରିଛନ୍ତି। ଫଟୋ ସହ ଏକ ଲମ୍ବା କ୍ୟାପସନ ଲେଖି ସେ ଅନେକ ଖୁଲାସା କରିଥିବା ଦେଖାଯାଇଛି। ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ସେ ହାଡଭଙ୍ଗା ପରିଶ୍ରମ କରିବା ସହ ତାଙ୍କର ସମସ୍ତ ସମ୍ପତ୍ତି ବନ୍ଧା ପକାଇଥିବା କହିଛନ୍ତି।

Advertisment

ଅଭିନେତ୍ରୀ ସେୟାର କରିଥିବା ଫଟୋଗୁଡ଼ିକରେ କଙ୍ଗନା ଜଣେ ନିର୍ଦ୍ଦେଶକ ଭାବେ ମାଇକ୍ ଧରି କିଛି କହୁଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ସେ ମନିଟରକୁ ଦେଖି କିଛି କହୁଥିବା ଦେଖାଯାଇଛି। ଏହି ଫଟୋ ସେୟାର କରି ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଆଜି ମୁଁ ଜଣେ ଅଭିନେତ୍ରୀ ଭାବରେ ମୋର ଚଳଚ୍ଚିତ୍ର 'ଏମରଜେନ୍ସି'ର ସୁଟିଂ ଶେଷ କରିସାରିଛି। ମୋ ଜୀବନର ଏକ ଗର୍ବର ମୁହୂର୍ତ୍ତ ସମାପ୍ତ ହୋଇଛି। ଆପଣଙ୍କୁ ଲାଗୁଥିବ ଯେ ମୁଁ ଏହାକୁ ଖୁବ ସହଜରେ ଶେଷ କରିଛି, କିନ୍ତୁ ସତ୍ୟ ଏହାଠାରୁ ବହୁତ ଭିନ୍ନ। ମୁଁ ଏହି ଚଳଚ୍ଚିତ୍ର ପାଇଁ ମୋର ସମସ୍ତ ସମ୍ପତ୍ତି, ମୋର ପ୍ରତ୍ୟେକ ଜିନିଷ ବନ୍ଧା ପକାଇଛି। ଫିଲ୍ମର ପ୍ରଥମ ସୁଟିଂ ପର୍ଯ୍ୟାୟରେ ମୋତେ ଡେଙ୍ଗୁ ହୋଇଥିଲା। ଏହି କାରଣରୁ ମୋର ଶରୀରରେ ରକ୍ତ କଣିକା କମ ହୋଇଯାଇଥିଲେ ବି ମୁଁ ସୁଟିଂ କରିବା ଜାରି ରଖିଥିଲି। ପୂର୍ବରୁ ମୋ ପାଇଁ ଚିନ୍ତା କରୁଥିବା ଲୋକଙ୍କୁ ଦୁଃଖ ଦେବାକୁ ଚାହୁଁନଥିବାରୁ ମୁଁ ଏବିଷୟରେ ଜଣାଇନଥିଲି।"