ମୁମ୍ବାଇ: ସାଂସଦ ହେବା ପରେ ମୁମ୍ବାଇରେ ଥିବା ଘର ବିକିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତ୍ । ଏବେ କଙ୍ଗନା ନିଜ ଫିଲ୍ମ ଏମରଜେନ୍ସିକୁ ନେଇ ହେଉଥିବା ବିବାଦ ପାଇଁ ଚର୍ଚ୍ଚାରେ ଥିବା ବେଳେ ଘର ବିକିଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ଏକ ୟୁଟ୍ୟୁବ ଭିଡିଓ ଭାଇରାଲ ହେବା ପରେ କଙ୍ଗନା ଘର ବିକିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ନିର୍ବାଚନ ଜିତି ସାଂସଦ ହେବା ପରେ କଙ୍ଗନା ଅଧିକାଂଶ ସମୟ ଦିଲ୍ଲୀ ଓ ହିମାଚଳରେ ରହୁଛନ୍ତି। ଏହି କାରଣରୁ ସେ ମୁମ୍ବାଇର ପାଲି ହିଲରେ ଥିବା ନିଜ ଘରକୁ ବିକିବାକୁ ଯୋଜନା କରୁଛନ୍ତି। ଏହି ଘରେ ସେ ନିଜ ପ୍ରଯୋଜନା ସଂସ୍ଥା ଚଳାଉଥିଲେ। ହେଲେ ଫିଲ୍ମ ଫ୍ଲପ ହେବା ସହ ଅଭିନେତ୍ରୀ ରାଜନୀତିରେ ପ୍ରବେଶ କରିଥିବାରୁ ଏବେ ‌ସେ ୨୦କୋଟିରେ ନିଜ ଘର ବିକିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏବେ ଖବର ମିଳୁଛି ଯେ, ମୁମ୍ବାଇର ପାଲି ହିଲରେ କଙ୍ଗନାଙ୍କ ଅଫିସ ଥିଲା। ଏହାକୁ ସେ ୨୦.୭କୋଟିରେ ସେପ୍ଟେମ୍ବର ୨୦୧୭ରେ କିଣିଥିଲେ। ହେଲେ ଏବେ ଏହାକୁ ସେ ୩୦କୋଟିରେ ବିକିଥିବା ଜଣାଯାଇଛି। ଏହି ଘର ପାଇଁ ସେ ୨୦୨୦ରେ ବିବାଦକୁ ଆସିଥିଲେ । ଘରଟି ବେଆଇନ ଭାବେ ନିର୍ମାଣ ହୋଇଛି ବୋଲି ଦାବି କରି ବିଏମସି ଘରର ସାମ୍ନା ଭାଗ ଭାଙ୍ଗି ଦେଇଥିଲେ। ପରେ ବମ୍ବେ ହାଇକୋର୍ଟ ଏଭଳି କରିବାକୁ ମନା କରିବା ପରେ ଭଙ୍ଗା କାମ ଅଟକି ଥିଲା। ଏହାକୁ ବିରୋଧ କରି କଙ୍ଗନା ବିଏମସି ବିରୋଧରେ ମାମଲା ରୁଜୁ କରି ୨କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲେ। ହେଲେ ପରେ ୨୦୨୩ରେ ସେ ନିଜ ମାମଲାକୁ ଫେରାଇ ଆଣିଥିଲେ। ତେବେ କଙ୍ଗନା ଘର ବିକିବା କଥା କେତେ ସତ, ତାହା କଙ୍ଗନାଙ୍କ ପ୍ରତିକ୍ରିୟା ପରେ ଜଣାପଡ଼ିବ।