ମୁମ୍ବାଇ: ‘ବଲିଉଡ୍ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ’ ବୋଲି ମନ୍ତବ୍ୟ ଦେବା ପରେ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ସୁପର୍ଷ୍ଟାର୍ ମହେଶ ବାବୁ। ମହେଶ ବାବୁଙ୍କର ବଲିଉଡ୍କୁ ନେଇ ଏପରି ମନ୍ତବ୍ୟରେ ଅନେକ କଳାକାର ଓ ସିନେ ନିର୍ମାତା ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାକୁ ସମର୍ଥନ ଜଣାଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ।
ସେ କହିଛନ୍ତି କି ‘ମହେଶ ବାବୁ ଠିକ୍ କହିଛନ୍ତି ଯେ ବଲିଉଡ୍ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ। ମୁଁ ଜାଣିଛି କିିଛି ସିନେ ନିର୍ମାତା ତାଙ୍କୁ ସିନେମା ଅଫର୍ ଦେଇଛନ୍ତି। ମାତ୍ର ଟଙ୍କାପଇସା କଥା ନଛିଣ୍ଡିବାରୁ ବଲିଉଡ୍ ଫିଲ୍ମ ସେ କରିପାରିନାହାନ୍ତି।’
କଙ୍ଗନା ଆହୁରି କହିଛନ୍ତି ଯେ ‘ଆମେ ସମସ୍ତେ ଜାଣିଛେ ଯେ ସାଉଥ୍ ଇଣ୍ଡଷ୍ଟ୍ରି ଏବେ ସବୁ ଇଣ୍ଡଷ୍ଟ୍ରିଠାରୁ ଉପରେ ରହିଛି। ଗତ ୧୦-୧୫ ବର୍ଷ ଭିତରେ ଏହି ଇଣ୍ଡଷ୍ଟ୍ରି ବହୁ ଉନ୍ନତି କରିଛି। ମୁଁ ଜାଣିନି ମହେଶ ବାବୁ କେଉଁ ଉଦ୍ଦେଶ୍ୟରେ ଏପରି କହିଛନ୍ତି। ମାତ୍ର ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏ କଥାକୁ ନେଇ କାହିଁକି ବିବାଦ ଉପୁଜିଛି। ଏହା ଆଦୌ ଏକ ବିବାଦୀୟ ବୟାନ ନୁହେଁ।’
ଉଲ୍ଲେଖଯୋଗ୍ୟ, ଅଦିବି ଶେଷଙ୍କ ଫିଲ୍ମ ‘ମେଜର’ର ଟ୍ରେଲର ଲଞ୍ଚ ସମୟରେ ମହେଶ ବାବୁ ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବେ। ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।