ମୁମ୍ବାଇ: ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ ଫିଲ୍ମରେ ଖୁବ୍ ଶୀଘ୍ର ନଜର ଆସିବେ କଙ୍ଗନା ରାନାଓ୍ଵତ୍ । ସେ ଏହାର କିଛି ଅଂଶର ବି ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଏବେ ସେ ସଂପୂର୍ଣ୍ଣ ଏକ ସିନେମାର ନିର୍ଦ୍ଦେଶନା ଦେବାକୁ ମନ ବଳାଇଛନ୍ତି। କୁହାଯାଉଛି ଯେ ଏଥିପାଇଁ ସେ କାହାଣୀ ଖୋଜୁଛନ୍ତି। ଆହୁରି ବି ଶୁଣିବାକୁ ମିଳୁଛି ଯେ କଙ୍ଗନା ଏହି କାହାଣୀଲାଗି ସେ ଦାୟିତ୍ୱ ଦେଇଛନ୍ତି ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ର ଲେଖକ ବିଜୟେନ୍ଦ୍ର ପ୍ରସାଦଙ୍କୁ। ଏହାର କାହାଣୀ ଏଲିୟନ୍ଙ୍କ ରୋମାନସ୍ ଉପରେ ଆଧାରିତ ହେବ ବୋଲି କୁହାଯାଉଛି।ଏଠାରେ ସୂଚନାଯୋଗ୍ୟ ଯେ ‘ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନ୍ସୀ’ର ନିର୍ଦ୍ଦେଶନା ଦେଉଥିଲେ କ୍ରିଶ୍। ଫିଲ୍ମର ସମସ୍ତ ସୁଟିଂ ଶେଷ ହେବା ବେଳକୁ ଚର୍ଚ୍ଚା ହେଲା ଯେ ନିର୍ମାତା ଓ ନିଜେ କଙ୍ଗନା ରାନାଓ୍ଵତ୍ ଏହାର କାମକୁ ନେଇ ସନ୍ତୁଷ୍ଟ ନୁହଁନ୍ତି। ଏଣୁ ସେମାନେ ଏହାର କିଛି ଅଂଶ ରିସୁଟ୍ କରିବାକୁ ଚାହାଁନ୍ତି,ଆଉ କେତେକ ପ୍ୟାଚଅପ୍ କାମ ବି ଅଛି।
ଏଥିପାଇଁ ନିର୍ମାତା ନିର୍ଦ୍ଦେଶକ କ୍ରିଶଙ୍କ ସହ ଯୋଗାଯୋଗ କରିଥିଲେ।ହେଲେ ସେତେବେଳକୁ କ୍ରିଶ୍ ଅନ୍ୟ ଏକ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି। ଏହାପରେ କ୍ରିଶ୍ ଆଉ ରିସୁଟ୍ ବା ପ୍ୟାଚ୍ଅପ୍ ପାଇଁ ସମୟ ଦେଲେ ନାହିଁ। ଫଳତଃ ଅନ୍ୟ ସବୁ ନିର୍ଦ୍ଦେଶନା ଦାୟିତ୍ୱ କଙ୍ଗନା ରାନାଓ୍ଵତ୍ ବହନ କରିଥିଲେ ।