ମୁମ୍ବାଇ: ପୁଣି ଥରେ ବଲିଉଡ ପ୍ରଯୋଜକ-ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କଲେ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଶନିବାର ଇନଷ୍ଟା ଷ୍ଟୋରୀରେ ରଣବୀରଙ୍କୁ ଧଳା ମୂଷା କହିବା ପରେ ଏବେ ତାଙ୍କୁ ଦୁର୍ଯ୍ୟୋଧନ ଓ କରଣ ଜୋହରଙ୍କୁ ଶକୁନି କହିଛନ୍ତି କଙ୍ଗନା। ଏହା ସହ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଦୁହେଁ ଜୀବନ ହାରିବାକୁ ଉସୁକାଇଥିବା ଲେଖିଛନ୍ତି କଙ୍ଗନା।
କଙ୍ଗନା ଲେଖିଛନ୍ତି, 'ମୁଁ ଗତକାଲିର କଥାକୁ ଆଗେଇ ନେଉଛି। ଚଳଚ୍ଚିତ୍ର ଶିଳ୍ପରେ ଅନେକ ପ୍ରକାରର ବିପଦ ରହିଛି। ଏହାଠାରୁ ଆହୁରି ଖରାପ ହେଉଛନ୍ତି ଦୁର୍ଯ୍ୟୋଧନ (ଧଳା ମୂଷା) ଏବଂ ଶକୁନି (ପା ଜୋ)। ସେମାନେ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୂଚନା ପ୍ରସାରଣ ମନ୍ତ୍ରାଳୟ ବୋଲି କୁହନ୍ତି। ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଜାଣେ ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା ପାଇଁ କିଏ ବାଧ୍ୟ କରିଥିଲା। ସେ କେବଳ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିନଥିଲେ ବରଂ ସେମାନେ ମୋ ବିଷୟରେ ଏବଂ ହ୍ରିତିକ ରୋଶନଙ୍କ ବିଷୟରେ ଅନେକ ଭିତ୍ତିହୀନ ଗୁଜବ ପ୍ରଚାର କରିଥିଲେ। ଯେଉଁଥିପାଇଁ ମୋ ଜୀବନ ଏବଂ କ୍ୟାରିଅର ଉପରେ ଗଭୀର ପ୍ରଭାବ ପଡ଼ିଥିଲା।"
ଗତକାଲି ସେ ରଣବୀରଙ୍କୁ ଧଳା ମୂଷା ବୋଲି ସମ୍ବୋଧିତ କରି ଲେଖିଥିଲେ, “ନିକଟରେ ମୁଁ ଆଉ ଏକ ବଲିଉଡ ରାମାୟଣ ଆସିବା ବିଷୟରେ ଶୁଣୁଛି। ଯେଉଁଥିରେ ଏକ ପତଳା ଧଳା ମୂଷା, ଯାହାଙ୍କୁ କିଛି ସୂର୍ଯ୍ୟତାପ ଏବଂ ବିବେକ ଆବଶ୍ୟକ…ଯିଏ ଇଣ୍ଡଷ୍ଟ୍ରିରେ ପ୍ରାୟ ପ୍ରତ୍ୟେକଙ୍କ ବିରୋଧରେ ଖରାପ ପିଆର କରୁଥିବା ନେଇ ଜଣାଶୁଣା…ଏକ ଫିଲ୍ମରେ ସେ ନିଜକୁ ଭଗବାନ ଶିବ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା ପରେ ଏବେ ପ୍ରଭୁ ରାମଙ୍କ ଚରିତ୍ରରେ ଆସିବାକୁ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ଯେଉଁ ଅଭିନେତା କାହାର ସାହାରା ନନେଇ ନିଜର କ୍ୟାରିୟର ଗଢ଼ିଛନ୍ତି…ଯାହାଙ୍କ ଲୁକ୍ ରାମଙ୍କ ଭଳି, ତାଙ୍କୁ ଫିଲ୍ମରେ ରାବଣ ଚରିତ୍ର କରିବାକୁ ଅଫର ଦିଆଯାଇଛି। ଏହା କିଭଳି କଳିଯୁଗ ??