ଆପଣ ଜାଣିଥିବେ, ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମଣିକର୍ଣ୍ଣିକା – ଦି କୁଇନ୍ ଅଫ୍ ଝାନ୍ସୀ’ରେ ଶୀର୍ଷକ ଭୂମିକାରେ ଅଭିନୟ କରୁଛନ୍ତି ସୁନ୍ଦରୀ କଙ୍ଗନା ରଣାଓ୍ଵତ୍। ଜାତୀୟ ପୁରସ୍କାରପ୍ରାପ୍ତ କ୍ରିଷ୍ ଏହାର ନିର୍ଦ୍ଦେଶକ। ନିକଟରେ ‘ମଣିକର୍ଣ୍ଣିକା – ଦି କୁଇନ୍ ଅଫ୍ ଝାନ୍ସୀ’ର ସୁଟିଂ ସମୟରେ କଙ୍ଗନା ଆହତ ହୋଇଛନ୍ତି। ସେଥିପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର କଙ୍ଗନାଙ୍କୁ କିଛିଦିନ ବିଶ୍ରାମ ନେବାଲାଗି ପରାମର୍ଶ ଦେଇଛନ୍ତି। କାହାଣୀ ଅନୁସାରେ ଆପଣମାନେ ଅନୁମାନ କରି ପାରୁଥିବେ ଯେ ‘ମଣିକର୍ଣ୍ଣିକା – ଦି କୁଇନ୍ ଅଫ୍ ଝାନସୀ’ରେ ବହୁତ ଷ୍ଟଣ୍ଟ୍ ଥିବ। ତେବେ ଉଲ୍ଲେଖନୀୟ କଥା ହେଉଛି, ଏଥିରେ କଙ୍ଗନା ନିଜର ସବୁ ଷ୍ଟଣ୍ଟ୍କୁ ନିଜେ କରୁଛନ୍ତି। ସେଥିପାଇଁ ତାଙ୍କୁ କମ୍ ପରିଶ୍ରମ ଓ କଷ୍ଟ କରିବାକୁ ପଡୁନି। ଉପରୋକ୍ତ ଦୃଶ୍ୟର ସୁଟିଂ ଯୋଧପୁରରେ ହେଉଥିଲା। ସେ ଦୃଶ୍ୟରେ କଙ୍ଗନା ଗୋଟିଏ ପାଚେରି ଉପରୁ ତଳେ ଠିଆ ହୋଇଥିବା ଘୋଡ଼ା ପିଠିକୁ ଡେଇଁବାର ଥିଲା। କଙ୍ଗନା ଡେଇଁଥିଲେ, କିନ୍ତୁ ଘୋଡ଼ା ପିଠି ବଦଳରେ ଭୂଇଁରେ ପଡ଼ି ଯାଇଥିଲେ। ଯୋଜନା ବିଗିଡ଼ି ଯିବାରୁ ତାଙ୍କର ହିସାବ ଏପଟ ସେପଟ ହୋଇ ଯାଇଥିଲା, ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଏକ ବେସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରା ଯାଇଥିଲା। ସାରାରାତି ସେ ସେଇଠି ରହିଥିଲେ। ସକାଳୁ ମୁମ୍ବାଇ ଫେରି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖନୀୟ ଯେ ଏଇ ଫିଲ୍ମର ସୁଟିଂ ଅବସରରେ କଙ୍ଗନା ପୂର୍ବରୁ ବି ଥରେ ଆହତ ହୋଇଥିଲେ। ଗତ ଜୁଲାଇ ମାସରେ ‘ମଣିକର୍ଣ୍ଣିକା – ଦି କୁଇନ୍ ଅଫ୍ ଝାନ୍ସୀ’ରେ ଥିବା ଏକ ଖଣ୍ଡାଯୁଦ୍ଧର ସୁଟିଂ ଚାଲିଥିବାବେଳେ ଖଣ୍ଡାର ଚୋଟ ତାଙ୍କ ମୁହଁରେ ବାଜିଥିଲା। ଖଣ୍ଡାଟି ନକଲି ହୋଇଥିଲେ ମଧ୍ୟ ତା’ ଚୋଟରେ ତାଙ୍କ ମୁହଁର ଗୋଟିଏ ସ୍ଥାନ କଟି ଯାଇଥିଲା। ସେଥିପାଇଁ ଡାକ୍ତର ତାଙ୍କୁ କିଛି ଦିନ ସୁଟିଂରେ ଭାଗ ନ ନେବାକୁ କହିଥିଲେ। ଫଳରେ ‘ମଣିକର୍ଣ୍ଣିକା – ଦି କୁଇନ୍ ଅଫ୍ ଝାନ୍ସୀ’ର ସୁଟିଂ ବେଶ୍ କିଛିଦିନ ବନ୍ଦ ରହିଥିଲା।