ବେଙ୍ଗାଲୁରୁ : କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କର ଶୁକ୍ରବାର ଦିନ ହୃଦ୍ଘାତରେ ପରଲୋକ ଘଟିଛି। ୪୬ ବର୍ଷୀୟ ପୁନିତ ଶୁକ୍ରବାର ସକାଳେ ତାଙ୍କ ଜିମ୍ରେ କସରତ କରୁଥିବା ସମୟରେ ହଠାତ୍ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲ୍ ନିଆଯାଇଥିଲା। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ପୁନିତଙ୍କର ପରଲୋକ ହୋଇଯାଇଛି।
ପୁନିତଙ୍କ ମୃତ୍ୟୁ ଖବର ସମଗ୍ର ଫିଲ୍ମ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଅପରାହ୍ନରେ ଏକ ଟ୍ବିଟ୍ କରି କହିଛନ୍ତି, ପୁନିତଙ୍କ ଅକାଳ ବିୟୋଗ କନ୍ନଡ ଏବଂ କର୍ଣ୍ଣାଟକ ପାଇଁ ଏକ ବହୁତ ବଡ଼ କ୍ଷତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁନିତଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଭାଗ୍ୟର ବିଡ଼ମ୍ବନା ଆମମାନଙ୍କଠାରୁ ଅଭିନେତା ପୁନିତଙ୍କୁ ଛଡ଼ାଇ ନେଲା। ଏଭଳି ବୟସରେ ସେ ଯିବାର ନଥିଲା। ଆଗାମୀ ପିଢ଼ି ପୁନିତଙ୍କ କାର୍ଯ୍ୟ ଏବଂ ବ୍ୟକ୍ତିତ୍ବ ପାଇଁ ତାଙ୍କୁ ମନେ ରଖିବେ। ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ମଧ୍ୟ ପୁନିତଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। କର୍ଣ୍ଣାଟକ ପାଇଁ ଏହା ବହୁତ ବଡ଼ କ୍ଷତି ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2021/10/Puneeth-Rajkumar-1.jpg)
ପୁନିତ ରାଜକୁମାର ପାୱାର ଷ୍ଟାର୍
ନୂଆଦିଲ୍ଲୀ : କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଅକାଳ ବିୟୋଗ ସମଗ୍ର ଫିଲ୍ମ ଜଗତକୁ ସ୍ତବ୍ଧ କରିଦେଇଛି। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନିତଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବ। ପୁନିତ ରାଜକୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଭାବେ ‘ପାୱାର ଷ୍ଟାର୍’ ନାମରେ ଜଣାଶୁଣା। ଲୋକେ ଶ୍ରଦ୍ଧାରେ ତାଙ୍କୁ ‘ଅପ୍ପୁ’ ଡାକନ୍ତି। ପିଲାଟି ଦିନରୁ ସେ ସିଲଭର ସ୍କ୍ରିନ୍ ସହ ଜଡ଼ିତ। ୬ ମାସର ଶିଶୁ ବେଳୁ ସେ ‘ପ୍ରେମଦା କାନିକେ’ ଫିଲ୍ମରେ ଅଭିନୟ କରିଥିଲେ। ଶିଶୁ କଳାକାର ଭାବେ ପ୍ରାୟ ୧୪ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଧିକାଂଶ ଫିଲ୍ମ ନିଜ ବାପାଙ୍କ ସହ କହିଛନ୍ତି। ଶୀର୍ଷ ଶିଶୁ କଳାକାର ଭାବେ ସେ ୧୯୮୫ରେଜାତୀୟ ପୁରସ୍କାର ପାଇଥିଲେ। ଜଣେ ଶିଶୁ କଳାକାର ଭାବେ ସେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ୨୦୦୨ରେ ‘ଅପ୍ପୁ’ ଫିଲ୍ମ ମାଧ୍ୟମରେ କନ୍ନଡ଼ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ପୁନିତ ଉକ୍ତ ଫିଲ୍ମରେ ଜଣେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ସୁପର୍ ହିଟ୍ ହୋଇଥିଲା। ଏହାପରେ ଫ୍ୟାନ୍ମାନେ ତାଙ୍କୁ ଶ୍ରଦ୍ଧାରେ ‘ଅପ୍ପୁ’ ଡାକିଲେ।
୨୯ ଟି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ‘ଯୁବରତ୍ନ’ ତାଙ୍କର ଶେଷ ଫିଲ୍ମ ଥିଲା। ଚଳିତ ବର୍ଷ ଏପ୍ରିଲରେ ଫିଲ୍ମଟି ରିଲିଜ୍ ହୋଇଥିଲା। ତାଙ୍କର ଦୁଇଟି ଫିଲ୍ମ ଜେମ୍ସ ଏବଂ ଦ୍ବିତ୍ବା ନିର୍ମାଣାଧୀନ ରହିଛି । ଫିଲ୍ମ ୨ଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ପୁନିତ ଆଖି ବୁଜି ଦେଇଛନ୍ତି। ମିଲନା ପାଇଁ ପୁନିତ ୨୦୦୭-୦୮ ଏବଂ ଜ୍ୟାକି ପାଇଁ ୨୦୧୦-୧୧ରେ ଦୁଇଟି ରାଜ୍ୟ ପୁରସ୍କାର ପାଇଛନ୍ତି। ମୋଟ୍ ୫ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଶିଶୁ କଳାକାର ଭାବେ ସେ ଗୋଟିଏ ପୁରସ୍ମାର ପାଇଥିବାବେଳେ ପ୍ରମୁଖ କଳାକାର ଭାବେ ଅନ୍ୟ ୪ଟି ପୁରସ୍କାର ପାଇଛନ୍ତି। ନିର୍ଦ୍ଦେଶକ ଦୁନିୟା ସୁରି, ଯୋଗରାଜ ଭଟ୍ଟ, ଜ୍ୟକବ ବର୍ଗିସ ଏବଂ ମିଲନା ପ୍ରକାଶଙ୍କ ପାଇଁ ସେ ଅନେକ ଫିଲ୍ମରେ ହିଟ୍ କରିଛନ୍ତି। ସବୁଠୁ ବେଶୀ ହିଟ୍ ହୋଇଥିବା ତାଙ୍କର କେତେକ ଫିଲ୍ମ ହେଉଛି ଅପ୍ପୁ, ଆରାସୁ, ମିଲନା, ଜ୍ୟାକି , ପୃଥିବୀ, ପରମାତ୍ମା, ରାଜାକୁମାର। ପୁନିତ ଚେନ୍ନାଇର ଲୋହିତରେ ଜନ୍ମ ଗ୍ରହଣ କରିଥିଲେ। କିମ୍ବଦନ୍ତୀ କଳାକାର ରାଜକୁମାର ଏବଂ ତାଙ୍କ ପତ୍ନୀ ପର୍ବତାମ୍ମା ରାଜକୁମାର ହେଉଛନ୍ତି ପୁନିତଙ୍କ ବାପା ମା’। ପୁନିତ ସେମାନଙ୍କର ପଞ୍ଚମ ଏବଂ ସର୍ବକନିଷ୍ଠ ସନ୍ତାନ ଥିଲେ। ପୁନିତଙ୍କୁ ୬ ବର୍ଷ ବୟସ ବେଳେ ତାଙ୍କ ପରିବାର ମହୀଶୂର ଚାଲି ଆସିଥିଲେ। ପୁନିତଙ୍କ ୨ ଭାଇ ହେଉଛନ୍ତି ରାଘବେନ୍ଦ୍ର ରାଜକୁମାର ଏବଂ ଶିବ ରାଜକୁମାର।