ନୂଆଦିଲ୍ଲୀ: କନ୍ନଡ ଟିଭି ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଲୋକପ୍ରିୟ କନ୍ନଡ ଟେଲି ଅଭିନେତା ସମ୍ପତ ଜେ ରାମଙ୍କ ଦେହାନ୍ତ ହୋଇଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଖବର। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସମ୍ପତ ଜେ ରାମ ଆତ୍ମହତ୍ୟା କରିଛନ୍ତି। ୩୫ବର୍ଷ ବୟସ୍କ ସମ୍ପତ ଜେ ରାମଙ୍କ ଏହି ପଦକ୍ଷେପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିନେତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୨ରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ସମ୍ପତ ଜେ ରାମ ଆତ୍ମହତ୍ୟା କରିଥିଲେ। କର୍ଣ୍ଣାଟକର ନେଲମଙ୍ଗଲାସ୍ଥିତ ତାଙ୍କ ଘରେ ସମ୍ପତ ଜେ ରାମ ଜୀବନ ହାରିଥିବା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପତ ଜେ ରାମ ତାଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ହେତୁ ଦୀର୍ଘ ସମୟ ଧରି ଚାପଗ୍ରସ୍ତ ଥିଲେ। କରୋନା ପରେ ତାଙ୍କୁ କାମ ମିଳୁନଥିବାରୁ ତାଙ୍କ କ୍ୟାରିୟର ବୁଡ଼ିବାକୁ ଲାଗିଥିଲା। ଏହି କାରଣରୁ ସେ ଚାପଗ୍ରସ୍ତ ହୋଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।
ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସମ୍ପତ ଜେ ରାମଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। କୁହାଯାଉଛି ଯେ ଆଜି ସମ୍ପତ ଜେ ରାମଙ୍କର ଶେଷ ରୀତିନୀତି ସମ୍ପନ୍ନ ହେବ। ହେଲେ ଏପର୍ଯ୍ୟନ୍ତ ସମ୍ପତଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ।