ସମ୍ବଲପୁର: ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଓ ପ୍ରୋତ୍ସାହକ ଓଡ଼ିଶାର ଜିତେନ୍ଦ୍ର ମିଶ୍ରଙ୍କୁ ପୁଣିଥରେ ସମ୍ବଲପୁରୀ ଡିଜାଇନର୍ ପୋଷାକ ପରିଧାନ କରି କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ହୋଇଛନ୍ତି। ପୂର୍ବରୁ ଅନେକବାର ପ୍ରତିଷ୍ଠିତ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ପ୍ରତିନିଧିତ୍ବ କରିଥିବା ଓ ବିଶ୍ବ ଦରବାରରେ ସମ୍ବଲପୁରୀ ଡିଜାଇନର୍ ପୋଷାକକୁ ଭିନ୍ନ ପରିଚୟ ଦେଇଥିବା ଶ୍ରୀ ମିଶ୍ର ଏଥର ବି କାନ୍ସରେ ସମ୍ବଲପୁରୀ ପୋଷାକରେ ନଜର ଆସିଛନ୍ତି। ଏଥି ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଗତ ୧୬ ତାରିଖରୁ ଆରମ୍ଭ ହୋଇ ୨୭ ଯାଏ ଚାଲିବାକୁ ଥିବା ୭୬ତମ ଅନ୍ତର୍ଜାତୀୟ କାନ୍ସ ଚଳଚ୍ଚିତ୍ର ମେହାତ୍ସବର ନାଲି କାର୍ପେଟ୍‌ ବିଶ୍ବ ଫେସନ ଜଗତର ଅନ୍ୟତମ ସମ୍ମାନଜନକ ଓ ଉଚ୍ଚସ୍ତରୀୟ ମଞ୍ଚଭାବେ ବିବେଚିତ ‌ହୁଏ। ଏହି ମହୋତ୍ସବରେ ଶ୍ରୀ ମିଶ୍ରଙ୍କ ନିଜ ଦ୍ବାରା ଡିଜାଇନ୍ କରା ଯାଇଥିବା ହାତ ସିଲେଇ ସମ୍ବଲପୁରୀ ପରିଧାନ ଅନ୍ତର୍ଜାତୀୟସ୍ତରର ବହୁ ଖ୍ୟାତାନାମା ମଡେଲ୍‌ ଓ ସେଲିବ୍ରିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

Advertisment

ସମସ୍ତେ ମଧ୍ୟ ଏହି ପରିଧାନର ପ୍ରଶଂସା କରିଥିଲେ। ନିଜ ଅଞ୍ଚଳର ସମ୍ବଲପୁରୀ ହସ୍ତତନ୍ତକୁ ପୁଣିଥରେ କାନ୍ସରେ ପ୍ରଦର୍ଶିତ ଓ ପରିଚିତ କରି ପାରିଥିବାରୁ ସେ ଗର୍ବିତ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଶ୍ରୀ ମିଶ୍ର ଓଡ଼ିଶାର କଳା, ସଂସ୍କୃତି, ସିନେମା ଆଦିକୁ ଅନ୍ତର୍ଜାତୀୟସ୍ତରରେ ଓ ମଞ୍ଚରେ ପ୍ରୋତ୍ସାହିତ କରିବା ଦିଗରେ ବେଶ କିଛି ବର୍ଷ ହେଲା କାମ କରି ଆସୁଛନ୍ତି। ସେ ଭାରତର ହାତଗଣତି ସିନେମା ନିର୍ମାତା ଓ ପ୍ରୋତ୍ସାହକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଅନ୍ତର୍ଜାତୀୟସ୍ତରରେ ଫିଲ୍ମ ନିର୍ମାଣ, ବିତରଣ ଓ ପ୍ରୋତ୍ସାହନର ବିକଳ୍ପ ପନ୍ଥା ଅବଲମ୍ବନ କରି ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରି ପାରିଛନ୍ତି। ସେ ୧୧୦ଟି ଭାରତୀୟ ସିନେମାକୁ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପିତ କରି ସେଥି ପାଇଁ ବିଶ୍ବସ୍ତରରେ ବଜାର ସୃଷ୍ଟି କରିଛନ୍ତି। ଏହି ଦିଗରେ ତାଙ୍କର ଅବଦାନ ପାଇଁ ଶ୍ରୀ ମିଶ୍ରଙ୍କୁ ବିଦେଶର ବହୁ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ଲଗାତାର ଭାବେ ନିମନ୍ତ୍ରଣ ମିଳୁଛି। ସେ କାନ୍ସ ପ୍ରଡ୍ୟୁସନ୍ ନେଟ୍‌ୱର୍କର ସଦସ୍ୟ ଅଛନ୍ତି ଓ ୫୦ରୁ ଅଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଚାରକ (ଜୁରି) ଆସନ ମଣ୍ଡନ କରି ସାରିଛନ୍ତି।