ଭାକ୍‌ସିନ୍ ଲଢ଼େଇରେ ‘କାନ୍ତାରା’ର ସପ୍ତମୀ

ବହୁଚର୍ଚ୍ଚିତ କନ୍ନଡ଼ ଚଳଚ୍ଚିତ୍ର ‘କାନ୍ତାରା’ର ଅଭିନେତ୍ରୀ ସପ୍ତମୀ ଗୌଡ଼ା, ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଦି ଭାକ୍‌ସିନ୍ ଵାର୍’ ଜରିଆରେ ନିଜର ବଲିଉଡ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଗତ ବର୍ଷ ମୁକ୍ତିଲାଭ କରିଥିବା ‘କାନ୍ତାରା’ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଶିବା (ଋଷଭ ସେଟ୍ଟୀ)ଙ୍କର ପ୍ରେମିକା ଭୂମିକାରେ ଅଭିନୟ କରି ସପ୍ତମୀ ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲେ। ‘ଲୀଲା’ ଭୂମିକାରେ ତାଙ୍କ ଅଭିନୟରେ ମୁଗ୍‌ଧ ହୋଇ ବିବେକ ତାଙ୍କୁ ଏହି ଚଳଚ୍ଚିତ୍ରରେ ଅଭିନୟର ପ୍ରସ୍ତାବ ଦେଇଥିଲେ। ସପ୍ତମୀ ଏହାକୁ ସଙ୍ଗେ ସଙ୍ଗେ ସ୍ବୀକାର କରିବା ସହିତ ଏହାର ଅଂଶବିେଶଷ ହୋଇଥିବାରୁ ଉତ୍ସାହ ଓ କୃତଜ୍ଞତା ପ୍ରକାଶ କରିଛନ୍ତି। ବିବେକ ଆଶା ପ୍ରକଟ କରିଛନ୍ତି ଯେ ସପ୍ତମୀଙ୍କ ଚରିତ୍ର ଅନେକଙ୍କ ହୃଦୟ ସ୍ପର୍ଶ କରିବ।

ଭାରତୀୟ ବୈଜ୍ଞାନିକଙ୍କ ସମେତ ବିବିଧ ବ୍ୟକ୍ତିବିଶେଷ ଯେଉଁମାନେ କୋଭିଡ୍-୧୯ ଭୂତାଣୁର ଟିକା ଉଦ୍ଭାବନ କରିବା ଲାଗି ଦୁଇ ବର୍ଷ କାଳ ଦିନ ରାତି କଠିନ ପରିଶ୍ରମ କରିଥିଲେ ସେମାନଙ୍କ କାହାଣୀକୁ ନେଇ ପଲ୍ଲବୀ ଯୋଶୀଙ୍କ ପ୍ରଯୋଜନାରେ ‘ଦି ଭାକ୍‌ସିନ୍ ଵାର୍’ ନିର୍ମିତ ହେଉଛି। ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜେ ଏହାର କାହାଣୀ ରଚନା କରିଛନ୍ତି। ଲକ୍ଷ୍ନୌରେ ‘ଦି ଭାକ୍‌ସିନ୍ ଵାର୍’ର ଗୋଟିଏ ପର୍ଯ୍ୟାୟର ସୁଟିଂ ସରିବା ପରେ ଏବେ ହାଇଦ୍ରାବାଦରେ ଅନ୍ୟ ପର୍ଯ୍ୟାୟର ସୁଟିଂ ଆରମ୍ଭ ହେବ, ଯେଉଁଥିରେ ସପ୍ତମୀ ଅଭିନୟ କରିବେ। ପୂର୍ବରୁ ଅନୁପମ ଖେର ଏହାର ସୁଟିଂରେ ସାମିଲ ହୋଇଥିବା ନେଇ ଘୋଷଣା କରିଥିଲେ। ଏହା ଆସନ୍ତା ସ୍ବାଧୀନତା ଦିବସ ଅବସରରେ ସମୁଦାୟ ୧୧ଟି ଭାଷାରେ ମୁକ୍ତିଲାଭ କରିବ।

ସମ୍ବନ୍ଧିତ ଖବର