କରଣ ଜଣେ ଧନୀ ବ୍ୟବସାୟୀ। ସେ ବାହା ହେବାଲାଗି ଆଦୌ ଇଚ୍ଛୁକ ନୁହନ୍ତି, ହେଲେ ଜଣେ ନୂତନ କର୍ମଚାରୀ ଜାସ୍ମିନ୍‌ଙ୍କୁ ଭେଟିବା ପରେ ନିଜ ମତ ବଦଳାନ୍ତି। ପ୍ରଥମଥର ପାଇଁ ସେ ପ୍ରକୃତ ପ୍ରେମ ଅନୁଭବ କରନ୍ତି ଏବଂ ନିଜ ଭାବନାକୁ ଜାସ୍ମିନ୍‌ଙ୍କ ନିକଟରେ ପ୍ରକାଶ କରିବାକୁ ନିଷ୍ପତ୍ତି ନିଅନ୍ତି। କିନ୍ତୁ ଜାସ୍ମିନ୍‌ ଜଣେ ବଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥାଏ। ଏହି ସ୍ବପ୍ନ ସାକାର କରିବା ପୂର୍ବରୁ ପରିସ୍ଥିତିରେ ପଡ଼ି ସେ ଚାକିରି କରୁଥାଏ। ଏଣେ କରଣ ଜାସ୍ମିନ୍‌ଙ୍କୁ ଜୀବନସାଥୀ କରିବା ଲାଗି ପ୍ରସ୍ତାବ ଦିଅନ୍ତି। ସେ ସହଜରେ ଗ୍ରହଣ କରେ ନା  ନିଜ ସ୍ବପ୍ନ ସାକାର କରିବା ବାଟ ବାଛିନିଏ?

Advertisment

 ନା ଜାସ୍ମିନ୍‌ଙ୍କ ଜୀବନରେ କିଛି ଗୋପନୀୟ କଥା ରହିଛି? ଏ ସବୁର ଉତ୍ତର ମିଳିବ ନୂଆ ଓଡ଼ିଆ ସିନେମା ‘ତୋର ମୋର ପ୍ରେମ’ରେ। ଏଥିରେ କରଣ-ଜାସ୍ମିନ୍‌ଙ୍କ ପ୍ରେମ କାହାଣୀ ରହିଛି। ଏଥିରେ ପ୍ରଥମଥର ଲାଗି ଦର୍ଶକ ତୁଷାର-ପୁଣ୍ୟତୋୟାଙ୍କ ଯୋଡ଼ି ଦେଖିବାକୁ ପାଇବେ। ତୁଷାର କରଣ ଭୂମିକା ନିଭାଇଥିବା ବେଳେ ପୁଣ୍ୟତୋୟା ଅଛନ୍ତି ଜାସ୍ମିନ୍‌ ଚରିତ୍ରରେ। ଆଗରୁ ଏ ଦୁହେଁ ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ, ହେଲେ ବଡ଼ ପରଦାରେ ପ୍ରଥମ ଥର ଏକାଠି ହୋଇଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନସ୍ବିନୀ ପତି, ମଧୁମିତା ମହାନ୍ତି, ନୀତୁ ମିଶ୍ର, ଡିସ୍କୋ ରେଡ୍ଡୀ, ପ୍ରସନ୍ନ ପାତ୍ର, ଗୋପାଳ ଶର୍ମା, ଥିନ୍ ଓ ସ୍ମୃତିରଞ୍ଜନ ରଥ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ। ବିଦିଶା କ୍ରାଫ୍ଟ ବ୍ୟାନର୍‌ରେ ନିର୍ମିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ନିଜେ ନାୟକ ତୁଷାର ସିହ୍ନା। ଏହି ସିନେମା ଚଳିତ ମାସ ୨୧ ତାରିଖରେ ମୁକ୍ତିଲାଭ କରିବ।