କରଣ ଜୋହରଙ୍କ ଘରେ ଦୁଇଜଣ କରୋନା ସଂକ୍ରମିତ; ହୋମ କ୍ୱାରେନ୍‌ଟାଇନ୍‌ରେ ରହିଲେ ସିନେ-ନିର୍ମାତା

ମୁମ୍ବାଇ: ସମଗ୍ର ବିଶ୍ୱ କରୋନା ଯୁଦ୍ଧରେ ଲଢ଼ୁଛି। ଦେଶରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୪୫ ଲକ୍ଷରୁ ଊର୍ଧ୍ୱରେ ପହଞ୍ଚି ସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ୬୫୩୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏଥିରେ ୧୪୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି। କରୋନା ସଂକ୍ରମଣରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଥିବା ବେଳେ ନାମୀଦାମୀ ସିନେ ନିର୍ମାତା କରଣ ଜୋହରଙ୍କ ଘରରେ ବି ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରଣ ଏହାର ସୂଚନା ନିଜେ ଟୁଇଟର ମାଧ୍ୟମରେ ଦେଇଛନ୍ତି।

କରଣ ଜୋହର ଟୁଇଟ କରି ଲେଖିଛନ୍ତି, ତାଙ୍କ ଘରେ କାମ କରୁଥିବା ଦୁଇଜଣଙ୍କ ସ୍ୱାବରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି। ଏହି ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଥିବା ନେଇ ତୁରନ୍ତ ବିଏମ୍‌ସିକୁ ସୂଚନା ଦିଆଯାଇଥିଲା। ଏହାପରେ ନିୟମ ଅନୁସାରେ ଦୁହିଁଙ୍କୁ କୋଠାର ଅନ୍ୟ ଏକ ସ୍ଥାନରେ ସଙ୍ଗରୋଧରେ ରଖାଯାଇଛି।

ଏଥିସହିତ ପୂରା କୋଠାକୁ ସାନିଟାଇଜ କରାଯାଇଛି। ଅନ୍ୟ ସମସ୍ତ ଷ୍ଟାଫ୍‌ ଏବେ ସୁସ୍ଥ ଅଛନ୍ତି, କାହାରି ଶରୀରରେ କରୋନା ଲକ୍ଷଣ ଦେଖା ଯାଇନାହିଁ। ତାଙ୍କର ବି କରୋନା ପରୀକ୍ଷା ହୋଇସାରିଛି। ଯାହାର ରିପୋର୍ଟ ନେଗେଟିଭ୍‌ ଆସିଛି। ଏହା ସତ୍ତ୍ୱେ ବି ତାଙ୍କ ଘରେ ସମସ୍ତେ ସଙ୍ଗରୋଧରେ ରହିବା ସହିତ କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ କରାଯାଇଥିବା ନିୟମକୁ କଡ଼ାକଡ଼ି ପାଳନ କରିବେ ବୋଲି କହିଛନ୍ତି କରଣ ଜୋହର।

ସମ୍ବନ୍ଧିତ ଖବର