ନୂଆଦିଲ୍ଲୀ: ବଲିଉଡ୍ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ ଅନେକଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ଥିଲେ। ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଫ୍ୟାସନ ଡିଜାଇନ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ପ୍ରକାଶ ।
ରୋହିତଙ୍କ ହଠାତ ଏଭଳି ମୃତ୍ୟୁ ଖବର ପାଇବା ପରେ ମନୋରଞ୍ଜନ ଦୁନିଆରେ ଶୋକରଲହରି ଖେଳି ଯାଇଛି। ସିନେ ନିର୍ମାତା କରଣ ଜୋହର ବି ଫ୍ୟାସନ ଡିଜାଇନରଙ୍କ ଦେହାନ୍ତ ଖବର ପାଇବା ପରେ ଭାବୁକ ହୋଇଯାଇଛନ୍ତି।
କରଣ ରୋହିତଙ୍କ ମୃତ୍ୟୁ ଖବର ପାଇବା ପରେ ଭାବୁକ ହୋଇ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ଯେତେବେଳେ ଏହି ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତଙ୍କ ମୃତ୍ୟୁ ଖବର ପାଇଥିଲି ସେତେବେଳେ ତାଙ୍କରି ଦ୍ବାରା ପ୍ରସ୍ତୁତ ଅତି ସୁନ୍ଦର ଓ ଆକର୍ଷଣୀୟ ପୋଷାକ ପିନ୍ଧି କିଛି ଫଟୋ ଉଠାଇ କାରରେ ବସି ଏକ କାର୍ଯ୍ୟକ୍ରମକୁ ଯାଉଥିଲି। ଏହି ସମୟରେ ଫୋନର ଘଣ୍ଟି ବାଜି ଉଠିଲା। ଆଉ ଜାଣିବାକୁ ପାଇଲି ରୋହିତ ବଲ ଆଉ ଏ ଦୁନିଆରେ ନାହାନ୍ତି।
ଏବେ ବି ଏପରି ଅନେକ ଆଉଟଫୁଟ ଅଛି ଯାହାକୁ ତିଆରି କରିବା ପାଇଁ ମୁଁ ରୋହିତଙ୍କୁ ଅନୁରୋଧ ବାର୍ତ୍ତା ପଠାଇଥିଲି। ସେ ସବୁ ଆଉଟଫିଟ ମୋର ଅଧାରେ ରହିଗଲା।’
ପ୍ରକାଶିତ ରିପୋର୍ଟ ମୁତାବକ, ଅସୁସ୍ଥତା ହେତୁ ରୋହିତ ଫ୍ୟାସନ ଦୁନିଆରୁ ଦୁରେଇ ଯାଇଥିବା ବେଳେ କିଛିଦିନ ହେବ ସେ କମବ୍ୟାକ କରିଥିଲେ। ନଭେମ୍ବର ୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଦୀପାବଳି ପର୍ବ ପାଇଁ ଚାରିଆଡେ ହସଖୁସିର ମହଲ ଥିବା ବେଳେ ଫ୍ୟାସନ ଡିଜାଇନର ରୋହିତଙ୍କ ହଠାତ ମୃତ୍ୟୁ ଖବର ଅନେକଙ୍କୁ ଦୁଃଖୀ କରି ଦେଇଛି।
ସୂଚନାଯୋଗ୍ୟ, ରୋହିତ ଗତବର୍ଷରୁ ହୃଦୟସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ। ୨୦୨୦ରେ ହୃଦଘାତର ଶିକାର ହେବାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଥିଲା । ୧୯୮୬ରେ ଫ୍ୟାସନ ଡିଜାଇନିଂ ଭାବେ ରୋହିତ କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକପଢ଼ନ୍ତୁ:ଡ୍ରେସ କୋର୍ଡକୁ ବିରୋଧ କରି କ୍ୟାମ୍ପସରେ ପୋଷାକ ଖୋଲି ଦେଲେ ଛାତ୍ରୀ