ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଶେଷ ଚଳଚ୍ଚିତ୍ର ‘ଏ ଦିଲ ହେ ମୁଶ୍କିଲ’ ବକ୍ସ ଅଫିସରେ ଧମାଲ କରିଥିବା ବେଳେ ୨୦୧୬ର ଏକ ବଡ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ବର୍ତ୍ତମାନ ପ୍ରାୟ ଛଅ ବର୍ଷ ପରେ କରଣ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାନି’ ପାଇଁ ପୁନର୍ବାର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି। ଗତ ବର୍ଷ ଫିଲ୍ମର ସୁଟିଂ ଶେଷ ହୋଇଥିବାବେଳେ ଫିଲ୍ମରେ ଥିବା ଗୋଟିଏ ନିର୍ଦ୍ଦିଷ୍ଟ ଗୀତର ସୁଟିଂ ଏପର୍ଯ୍ୟନ୍ତ ହୋଇନାହିଁ। ଆଲିଆ ଗର୍ଭବତୀ ଥିବାରୁ ଏହାର ସୁଟିଂକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଆଲିଆଙ୍କ ମାତୃତ୍ୱ ଛୁଟି ସରିବା ପରେ କରଣ ଜୋହର ଗୀତର ସୁଟିଂ କରିବେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଗୀତଟି ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ସୁଟିଂ ହେବ ବୋଲି ଯୋଜନା କରାଯାଇଥିବା ବେଳେ ଏବେ ଏହାର ସୁଟିଂ କଶ୍ମୀରରେ ହେବ ବୋଲି ଜଣାପଡ଼ିଛି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ନବଜାତ ଝିଅ ରାହାଙ୍କ ପାଖରେ ଆଲିଆ ଭଟ୍ଟଙ୍କ ରହିବା ଜରୁରୀ ଥିବାରୁ ନିର୍ଦ୍ଦେଶକ କରଣ ଜୋହର ନିଜ ଯୋଜନା ପରିବର୍ତ୍ତନ କରିଥିବା କୁହାଯାଉଛି।
ତେବେ ଏହି ଫିଲ୍ମରେ ଅଭିନେତା ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ବ୍ୟତୀତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର, ଅଭିନେତ୍ରୀ ଜୟା ବଚ୍ଚନ ଓ ଶବାନା ଆଜମୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।