ମୁମ୍ବାଇ: ‘କଫି ଉଇଥ୍‌ କରନ୍’ ସିଜିନ୍‌-୮ର ଆଗାମୀ ଏପିସୋଡ୍‌ରେ ଦେଖିବାକୁ ମିଳ‌ିବେ ବଲଉଡ୍‌ର ଜଣାଶୁଣା ନଣନ୍ଦ-ଭାଉଜ ଯୋଡ଼ି। ଏହି ଏପିସୋଡ୍‌ରେ କରୀନା କପୁରଙ୍କ ସହ ଦୃଶ୍ୟମାନ ହେ‌ବେ ତାଙ୍କ ଭାଉଜ ଆଲିଆ ଭଟ୍ଟ।

Advertisment

କାଉଚ୍‌ ଉପରେ ବସି କଥାବାର୍ତ୍ତା ହେବା ବେଳେ ଦୁହେଁ ପରସ୍ପରଙ୍କ ବିଷୟରେ ଅନେକ ମଜାଦାର୍‌ କଥାର ଖୁଲାସା କରିବେ ବୋଲି ଅନୁମାନ କରାଯାଉଛି, ଯାହାର ଗୋଟାଏ ଝଲକ ସୋ’ର ପ୍ରମୋରେ ଦେଖିବାକୁ ମିଳିସାରିଛି।

ପିଙ୍କ୍‌ଭିଲାର ରିପୋର୍ଟ ମୁତାବକ, ଆଲିଆ ସୋ’‌ରେ ତ‌ାଙ୍କ ମାତୃତ୍ବର ଅନୁଭବକୁ ବଖାଣିବେ। ସେଠାରେ କରୀନା କପୁର ତାଙ୍କୁ ଦ୍ବିତୀୟ ପିଲା କରିବାକୁ ପରାମର୍ଶ ଦେବେ। ସୋ’ରେ ଆଲିଆ ‌କହିବେ ଯେ କିପରି ଘରେ ସମସ୍ତେ କୁନି ପରୀ ‘ରାହା’ଙ୍କ ସହ ସମୟ ବିତାଇବାକୁ ପାଗଳ ହେଉଛନ୍ତି। ରଣବୀର ଓ ଘରର ବାକି ସଦସ୍ୟମାନେ କୁନି ପରୀକୁ ଧରିବା ପାଇଁ ମାଡ଼ଗୋଳ ଲାଗିଯାନ୍ତି।

ଏକଥା ଶୁଣିବା ପରେ କରୀନା ଆଲିଆଙ୍କୁ ଆଉ ଏକ ପିଲା କରିବାକୁ ପରାମର୍ଶ ଦେଉଛନ୍ତି। ସେ କହୁଛନ୍ତି, ‘ଏହା ହୁଏତ ତୁମ ପାଇଁ ଈଶାରା ଯେ ତୁମେ ଆଉ ଏକ ପିଲା ବିଷୟରେ ଚିନ୍ତା କର। ଯାହାଫଳରେ ତୁମେ ଦୁହେଁ (ଆଲିଆ-ରଣବୀର) ଗୋଟାଏ ଗୋଟାଏ ପିଲାକୁ ସମ୍ଭାଳିବାର ସୁଯୋଗ ପାଅ।’

ତେବେ କରୀନାଙ୍କ ଏହି ପରାମର୍ଶକୁ ଆଲିଆ କିପରି ଗ୍ରହଣ କରିବେ ତାହା ତ ସମୟ କହିବ। ହେଲେ ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଲିଆଙ୍କ ଝିଅ ରାହାକୁ ଏହା ମଧ୍ୟରେ ୧ ବର୍ଷ ପୂରିଯାଇଛି। ଝିଅ ଜନ୍ମ ପରେ କପୁର ପରିବାରରେ ଖାଲି ଖୁସି ହିଁ ଖୁସି।