ଅତୀତରେ ରାମାୟଣ ପରି ପୌରାଣିକ ବିଷୟବସ୍ତୁକୁ ନେଇ କେତେକ ନିର୍ମାତା-ନିର୍ଦ୍ଦେଶକ ଚଳଚ୍ଚିତ୍ର ତିଆରି କରିଛନ୍ତି। ଏଥିରେ ବିଶେଷ କରି ଭଗବାନ ରାମଚନ୍ଦ୍ର ଏବଂ ରାବଣଙ୍କ ସଂଘର୍ଷମୟ କାହାଣୀକୁ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି। ‌ଟେଲିଭିଜନ୍‌ରେ ମଧ୍ୟ ରାମାନନ୍ଦ ସାଗରଙ୍କ ପ୍ରଯୋଜନାରେ ନିର୍ମିତ ଧାରାବାହିକ ‘ରାମାୟଣ’ ପ୍ରସାରିତ ହେଇଛି। ତେବେ ବି ‘ରାମାୟଣ’ କାହାଣୀକୁ ଭିନ୍ନ ଭାବରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ କେତେକ ନିର୍ମାତା-ନିର୍ଦ୍ଦେଶକ ଆଗ୍ରହ କରୁଛନ୍ତି। ଏମାନଙ୍କ ଭିତରେ ନିତେଶ ତିୱାରୀ ଓ ମଧୁ ମଣ୍ଟେନା ଅନ୍ୟତମ। ନିତେଶଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ‘ରାମାୟଣ’।

Advertisment

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକ ୭୫୦ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଛନ୍ତି। ସବୁଠୁ ବିସ୍ମୟର କଥା ହେଉଛି ଯେ ଏଥିରେ ରାମଚନ୍ଦ୍ରଙ୍କ ଭୂମିକାରେ ରଣବୀର କପୁର ଏବଂ ରାବଣ ଭୂମିକାରେ ମନୋନୀତ ହେଇଥିବା ହ୍ରିତିକ୍ ରୋଶନ ପ୍ରତ୍ୟେକ ୭୫ କୋଟି ଟଙ୍କା ନେବେ। ଏହା ମଧ୍ୟ ଶୁଣାଯାଉଛି ଯେ ପୂର୍ବରୁ ଦର୍ଶକ ରାମାୟଣର ଯେଉଁ କଥାବସ୍ତୁ ଦେଖିଛନ୍ତି, ତା’ଠାରୁ କିଛି ନୂଆ ଘଟଣା ଦେଖିବାକୁ ପାଇବେ। ଏଥିରେ ସୀତା ଭୂମିକାରେ କରୀନା କପୁର ଅବତୀର୍ଣ୍ଣ ହେବେ ବୋଲି ଶୁଣାଯାଉଛି। କେତେକ କହୁଛନ୍ତି ଏହା ମିଛ ଖବର। ସେମାନେ କହୁଛନ୍ତି କରୀନା ଜଣେ ନିପୁଣ ଅଭିନେତ୍ରୀ, ହେଲେ ସୀତାଙ୍କ ଭୂମିକା ପାଇଁ କରୀନା ଆଦୌ ଉପଯୁକ୍ତ ନୁହନ୍ତି। ଏପାଖେ କରୀନାଙ୍କ ସ୍ବାମୀ ସୈଫ୍ ଅଲ୍ଲୀ ଖାନ୍ ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଆସୁଛନ୍ତି। ଏଥିରେ ରାମ ଭୂମିକାରେ ଅଛନ୍ତି ବାହୁବଳୀ ପ୍ରଭାସ। ଦେଖାଯାଉ ନିତେଶ ଓ ମଣ୍ଟେନାଙ୍କ ଏତେବଡ଼ ପ୍ରୟାସ କ’ଣ ହେଉଛି!!!