ମୁମ୍ବାଇ: ମାସକୁ ୨.୫ଲକ୍ଷ ଟଙ୍କା ଦରମା ପାଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଲେ ତୈମୁରଙ୍କ ନାନି। ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଓ ଅଭିନେତା ସୈଫ୍ ଅଲୀ ଖାନଙ୍କ ବଡ଼ ପୁଅ ତୈମୁର ଅଲୀ ଖାନ୍ ଜନ୍ମ ହେବା ପରେ ଲାଇମଲାଇଟକୁ ଆସିଯାଇଥିଲେ। ତାଙ୍କର ଫଟୋ ଚାରିଆଡେ ଭାଇରାଲ ହେବା ସହ ତାଙ୍କ ନାମର କଣ୍ଢେଇ ବଜାରକୁ ଆସିଥିଲା। ତୈମୁରଙ୍କ ସହ ଲୋକପ୍ରିୟ ହୋଇଥିଲେ ତାଙ୍କ ନାନି ଲଲିତା ଡିସିଲଭା।
ଲଲିତା ପୂର୍ବରୁ ଅମ୍ବାନି ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଦେଖାଶୁଣା ପାଇଁ ତାଙ୍କ ନାନି ଭାବେ କାମ କରିଥିଲେ। ହେଲେ ତୈମୁରଙ୍କ ନାନି ହେବା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ଅନେକ ସମୟରେ ଏତେ ବଡ଼ ବଡ଼ କଳାକାର ଓ ବ୍ୟବସାୟୀଙ୍କ ପିଲାମାନଙ୍କ ଦେଖାଶୁଣା କରିଥିବା ଲଲିତା କେତେ ପାରିଶ୍ରମିକ ନିଅନ୍ତି, ତାକୁ ନେଇ ଚର୍ଚ୍ଚା ହୁଏ। ନିକଟରେ କୁହାଯାଉଥିଲା ଯେ, ତୈମୁରଙ୍କ ଦେଖାଶୁଣା ପାଇଁ ସେ ମାସକୁ ୨.୫ଲକ୍ଷ ଟଙ୍କା ଦରମା ପାଉଛନ୍ତି। ଏବେ ଏକ ସାକ୍ଷାତକାରରେ ସେ ଏଭଳି ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି। ଦରମାକୁ ନେଇ ପ୍ରଶ୍ନ କରାଯିବାରୁ ସେ ହସି ହସି କହିଥିଲେ, ୨.୫ଲକ୍ଷ? କଥାଟି ସତ ହୋଇଥାନ୍ତା କି? ହେଲେ ଏସବୁ କେବଳ ଗୁଜବ।
କରୀନା ଓ ସୈଫଙ୍କର ତାଙ୍କ ପ୍ରତି କିଭଳି ବ୍ୟବହାର ରହିଥିଲା ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, ସେମାନେ ଅତି ସାଧାରଣ ମଣିଷ। ସକାଳ ସମୟରେ ସୈଫ୍-କରୀନା ଏବଂ ପୂରା ଷ୍ଟାଫ୍ ମିଶି ଖାଦ୍ୟ ଖାଇଥାନ୍ତି। ସମସ୍ତେ ସମାନ ଖାଦ୍ୟ ଖାଆନ୍ତି। କାହାକୁ କିଛି ଅଲଗା ମିଳେ ନାହିଁ।