ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର ପ୍ରତିବର୍ଷ ଜୁନ୍ ୨୫ରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ଆଜି ତାଙ୍କର ୫୦ତମ ଜନ୍ମଦିନ ଥିବା ବେଳେ ଏହି ୫୦ବର୍ଷ ମଧ୍ୟରେ ‌ସେ ହାସଲ କରିଥିବା ସଫଳତା ବିଷୟରେ ଆମେ ଜାଣିବା। ୯୦ଦଶକର ପ୍ରାରମ୍ଭରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା କରିସ୍ମା ୯୦ଦଶକରେ ଏକାକୀ ବଲିଉଡରେ ରାଜ୍ କରିଥିଲେ।

Advertisment

ତାଙ୍କର ପୁରା ପରିବାର ବଲିଉଡ ସହ ଜଡ଼ିତ ଥିବା ବେ‌ଳେ ସେ ମଧ୍ୟ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଭାବିଥିଲେ। ଅଭିନେତ୍ରୀଙ୍କ ଜନ୍ମ ଜୁନ୍ ୨୫, ୧୯୭୪ରେ ମୁମ୍ବାଇରେ ହୋଇଥିବା ବେଳେ ସେ ବଲିଉଡରେ କ୍ୟାରିୟର କରିବା ପାଇଁ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। କରିସ୍ମା ତାଙ୍କ ପିଲାଦିନରେ ଶ୍ରୀଦେବୀ ଏବଂ ମାଧୁରୀ ଦୀକ୍ଷିତଙ୍କ ପରି ବଡ ଅଭିନେତ୍ରୀମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅଭିନୟ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବେଶୀ ଦିନ ସେ ନିଜ ସ୍ବପ୍ନଠାରୁ ଦୂରରେ ରହିନପାରି ମାତ୍ର ୧୬ବର୍ଷ ବୟସରେ ବଲିଉଡରେ ଡେବ୍ୟୁ କରିବାକୁ ନିଷ୍ପତ୍ତି ନେଇଥିଲେ କରିସ୍ମା। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୯୧ରେ ମୁକ୍ତିଲାଭ କରିଥିବା 'ପ୍ରେମ କଏଦୀ', ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା ​।

ଡେବ୍ୟୁ ପରେ ସେ ଆଉ ପଛକୁ ଫେରିନଥିଲେ। ହିଟ୍ ପରେ ହିଟ୍ ଦେବା ସହ ସେ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ପାଲଟିଥିଲେ। ୨୦୦୩ରେ ସଫଳ ଅଭିନେତ୍ରୀ ଥିବା ସମୟରେ ସେ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ସମ୍ପର୍କ ୧୩ବର୍ଷ ପରେ ଭ‌ାଙ୍ଗିଯାଇଥିଲା। ୨୦୧୬ରେ ତାଙ୍କର ଛାଡପତ୍ର ହେବା ସହ ସେ ପୁଣି ଜୀବନ ରାସ୍ତାରେ ଏକାକୀ ବାଟ ଚାଲିବା ଆରମ୍ଭ କରିଥିଲେ। ଏହି ବିବାହରୁ କରିସ୍ମାଙ୍କର ଦୁଇଟି ସନ୍ତାନ ଅଛନ୍ତି, ପୁଅ କିଆନ ରାଜ କପୁର ଏବଂ ଝିଅ ସମାୟରା କପୁର।

ବିବାହ ପରେ ଫିଲ୍ମଠାରୁ ଦୂରେଇ ଯାଇଥିବା କରିସ୍ମା ଏବେ ପୁଣି ପରଦା ମୁହାଁ ହୋଇଛନ୍ତି। ତେବେ ଏତେ ବର୍ଷ ମଧ୍ୟରେ କୌଣସି ଫିଲ୍ମ କରିନଥିଲେ ବି ସେ କୋଟିପତି ହୋଇ ରହିଛନ୍ତି। ବିଜ୍ଞାପନ ଓ ନିବେଶରୁ ସେ ଟଙ୍କା ଆୟ କରୁଥିବା ଜଣାପଡ଼ିଛି। କୁହାଯାଉଛି ଯେ, ସେ ମୋଟ ୮୭କୋଟି ଟଙ୍କାର ମାଲିକାଣୀ ଅଟନ୍ତି।