କରିଶ୍ମାଙ୍କ ଦୁଃଖ : ଲୋକପ୍ରିୟତା ଅଛି, ଅଭିନୟ ପାଇଁ ପୁରସ୍କାରକୁ ଅପେକ୍ଷା

ଟିଭି ଧାରାବାହିକ ‘କ୍ୟୁଁ କି ଶାଶ ଭି କଭି ବୋହୂ ଥି’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଅଭିନେତ୍ରୀ କରିଶ୍ମା ତନ୍ନା ଦୀର୍ଘ ଦୁଇ ଦଶନ୍ଧି ଧରି ମନୋରଞ୍ଜନ ଦୁନିଆରେ ସକ୍ରିୟ ରହି ଆସିଛନ୍ତି। ୟା ଭିତରେ ୪୦ରୁ ଅଧିକ ଧାରାବାହିକ ସମେତ ଆଠଟି ହିନ୍ଦୀ ଫିଲ୍ମ, ତିନିଟି ୱେବ୍‌ ଧାରାବାହିକ ଓ ଦୁଇଟି ସଂଗୀତ ଭିଡିଓରେ ନିଜର ଚମତ୍କାରିତା ଦେଖାଇ ସେ ଦର୍ଶକମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି। ଟିଭିର ଜଣେ କାର୍ଯ୍ୟକ୍ରମ ସଂଯୋଜିକା ଭାବେ ତାଙ୍କୁ ଦୁଇଥର ଜାତୀୟ ପୁରସ୍କାର ମିଳିଛି। ମାତ୍ର ଅଭିନୟ ପାଇଁ ତାଙ୍କୁ ସେଭଳି କିଛି ସମ୍ମାନ ମିଳିପାରିନାହିଁ, ଯାହା କି ତାଙ୍କର ଅବ୍ୟକ୍ତ ଦୁଃଖର କାରଣ ସାଜିଛି। ଯଦିଓ ଏଭଳି ପୁରସ୍କାର ପାଇଁ ସେ ଲାଳାୟିତ ନୁହନ୍ତି, ତେବେ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ପରେ ବି ସେ କାହିଁକି ସେଥିରୁ ବଞ୍ଚିତ ତାହାର କାରଣ ପାଉନଥିବା କହିଛନ୍ତି। ଅପରପକ୍ଷେ, ଦର୍ଶକୀୟ ସ୍ବୀକୃତି ତାଙ୍କ ପାଇଁ ଶ୍ରେଷ୍ଠ ଉପହାର ସାଜିଛି। ମହାରାଷ୍ଟ୍ରର ମୁମ୍ବାଇରେ ଏକ ଗୁଜରାଟୀ ପରିବାରରେ ୧୯୮୩ ଡିସେମ୍ବର ୨୧ରେ ଜନ୍ମ ନେଇଥିବା ତନ୍ନାଙ୍କର ଅଭିନୟ ଜଗତ୍‌କୁ ପଦାର୍ପଣ ଘଟେ ୨୦୦୧ରେ ବାଲଜୀ ଟେଲିଫିଲ୍ମସ ପ୍ରଯୋଜିତ ଟିଭି ଧାରାବାହିକ ‘କ୍ୟୁଁ କି ଶାଶ ଭି କଭି ବୋହୂ ଥି’ ମାଧ୍ୟମରେ। ଏଥିରେ ତାଙ୍କ ଅଭିନୀତ ଇନ୍ଦୁ ଭୂମିକାକୁ ଦର୍ଶକ ଓ ସମୀକ୍ଷକ ଖୁବ୍‌ ପ୍ରଶଂସା କରିଥିଲେ। ପଛକୁ ପଛ ‘କଭି ତୋ ମିଲେଙ୍ଗେ’, ‘କୁସୁମ’ ଓ ‘କୋଇ ଦିଲ୍‌ ମେଁ ହୈ’ ଆଦି ଧାରାବାହିକରେ ସେ ନିଜର ଲୋକପ୍ରିୟତା ବଜାୟ ରଖିପାରିଥିଲେ। ଏହା ପରେ ସେ ଆଉ ପଛକୁ ଫେରିନାହାନ୍ତି।

୨୦୦୫ରେ ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ଫିଲ୍ମ ‘ଦୋସ୍ତି: ଫ୍ରେଣ୍ଡସ ଫର ଏଭର’ରେ ତାଙ୍କୁ ମିଳିଥିବା ନନ୍ଦିନୀ ଥାପ୍ପର ଚରିତ୍ରକୁ ମଧ୍ୟ ସେ ଯଥୋଚିତ ନ୍ୟାୟ ଦେଇଥିଲେ। ମାତ୍ର ତାହା ଆଶାନୁରୂପ ବ୍ୟାବସାୟିକ ସଫଳତା ହାସଲ ନକରିବାରୁ ତନ୍ନା ନିରୁତ୍ସାହିତ ହୋଇପଡ଼ିଥିଲେ। ତେଣୁ ଫିଲ୍ମ ପ୍ରତି ଆଉ ମନ ନ ବଳେଇ ସେ ଧାରାବାହିକରେ ନିଜର ଯାଦୁ ବାଣ୍ଟି ଚାଲିଲେ। ‘ଦେଶ ମେଁ ନିକଲା ହୋଗା ଚାନ୍ଦ’, ‘ଏକ ଲଡକୀ ଅଞ୍ଜାନୀ ସି’ ଓ ‘ସାଜନ ରେ ଝୁଟ୍‌ ମତ ବୋଲୋ’ ଆଦି ଧାରାବାହିକ ହେଉଛି ତାଙ୍କ ଲୋକପ୍ରିୟତାର ସ୍ବାକ୍ଷର। ଏହି ଅବସରରେ ସେ କିଛି ବାସ୍ତବଧର୍ମୀ ଟିଭି ଧାରାବାହିକରେ ମଧ୍ୟ ପ୍ରତିଯୋଗୀ ସାଜି ନିଜର ପ୍ରଶଂସକମାନଙ୍କୁ ବାନ୍ଧି ରଖିଥିଲେ। ପୁଣି ଫିଲ୍ମ ଜଗତ୍‌କୁ ପ୍ରତ୍ୟାବର୍ତ୍ତନ କରି ‘ଗ୍ରାଣ୍ଡ ମସ୍ତି’, ‘ସୂରଜ ପେ ମଙ୍ଗଳ ଭାରି’ ଓ ‘ଲାହୋର କନ୍‌ଫିଡେନ୍ସିଆଲ୍‌’ ଆଦି ହିନ୍ଦୀ ଫିଲ୍ମରେ ସେ ଅଭିନୟ କରିଥିଲେ। ୨୦୨୦ରେ ତନ୍ନା ବାସ୍ତବଧର୍ମୀ ଟିଭି କାର୍ଯ୍ୟକ୍ରମ ‘ଫିଅର ଫାକ୍ଟର: ଖତରୋଁ କେ ଖିଲାଡ଼ି-୧୦’ର ବିଜୟିନୀ ହୋଇଥଲେ। ସେହିପରି ଗତବର୍ଷ ତାଙ୍କ ଅଭିନୀତ ୱେବ୍‌ ଧାରାବାହିକ ‘ବୁଲେଟ୍‌ସ’ ଦର୍ଶକମାନଙ୍କୁ କିଛି ମାତ୍ରାରେ ଖୁସି କରିଥିବା ବେଳେ ଚଳିତ ବର୍ଷ ଖେଳିଥିବା ‘ଗିଲ୍‌ଟି ମାଇଣ୍ଡସ’ ମଧ୍ୟ ତାଙ୍କ ଲୋକପ୍ରିୟତାକୁ ଆଉ ପାଦେ ବଢ଼ାଇନେଇଛି।

ସମ୍ବନ୍ଧିତ ଖବର