ଭୁବନେଶ୍ବର: ଧରାପୃଷ୍ଠରେ ଜନ୍ମନେଇ ଈଶ୍ବର ମଧ୍ୟ ନିଜ କର୍ମର ଫଳ ନିଜେ ଭୋଗିଛନ୍ତି। ଯେଉଁଠି ଇଶ୍ବର କର୍ମଫଳ ଭୋଗୁଛନ୍ତି, ସେଠି ମଣିଷ ବା ବର୍ତ୍ତିଯିବ କେମିତି? ଯିଏ ଯେମିତି କର୍ମ କରିବ, ସେ ତା’ର ଫଳ ନିଶ୍ଚୟ ପାଇବ। ଏଭଳି ଏକ ବାର୍ତ୍ତା ନେଇ ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘କର୍ମ’। ଅକ୍ଟୋବର ୯ ତାରିଖ ବୁଧବାର ଦିନ ସାରା ଓଡ଼ିଶାରେ ହାଇବଜେଟ୍ ‘କର୍ମ’ ରିଲିଜ୍ ହେବାକୁ ଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରର ଶ୍ରୀୟା ଟକିଜ୍ରେ ଏହାର ଏକ ସ୍ବତନ୍ତ୍ର ସୋ’ କରାଯାଇଥିଲା। ଏଥିରେ ଓଡ଼ିଶାର ଆଗଧାଡ଼ିର କଳାକାର, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇ ଫିଲ୍ମ ଦେଖିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଫିଲ୍ମରେ ସସ୍ପେନ୍ସ ଲାଗି ରହିଥିବା ବେଳେ ଏହାର ସଂଳାପ, ସଂଗୀତ, କଳାକାରଙ୍କ ଅଭିନୟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। କହିବା ଅନାବଶ୍ୟକ ଯେ ନିର୍ଦ୍ଦେଶକ ଅନୁପମଙ୍କର ପୂର୍ବ ସଫଳତା ସହିତ ବହୁଦିନ ବ୍ୟବଧାନରେ ନାୟକ ଅନୁଭବଙ୍କର ଆଗମନ କାରଣରୁ ଫିଲ୍ମଟି ପାଇଁ ସାରା ଓଡ଼ିଶାରେ ପ୍ରବଳ ଦର୍ଶକୀୟ ଉତ୍କଣ୍ଠା ରହିଛି। ଫିଲ୍ମଟି ସେ ଉତ୍କଣ୍ଠା ଓ ଭଲ ପାଇବାର ଯୋଗ୍ୟ ବୋଲି ଆଜି ଏହାକୁ ଦେଖିଥିବା ଅଧିକାଂଶ ବ୍ୟକ୍ତି ସ୍ବୀକାର କରିଛନ୍ତି।
ସ୍ବତନ୍ତ୍ର ସୋ'ରେ ମିଳିଲା ଦର୍ଶକୀୟ ସ୍ବୀକୃତି
ସସ୍ପେନ୍ସରେ ଭରି ରହିଛି ଫିଲ୍ମ
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ର ସଙ୍ଗୀତ ଓ ଟିଜର୍ ରିଲିଜ୍ ହେବା ପରେ ଆଶାତୀତ ଦର୍ଶକାଦୃତି ମିଳିଥିଲା। ଆଜି ସ୍ବତନ୍ତ୍ର ସୋ’ରେ ମଧ୍ୟ ସେହି ଦର୍ଶକୀୟ ସ୍ବୀକୃତି ଜାରି ରହିଥିଲା। ଦର୍ଶକମାନେ ମୁଖ୍ୟତଃ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଦମ୍ଦାର ସଂଳାପ ଆଉ 'ଚିରିଙ୍ଗ ଚିରିଙ୍ଗ...' ଗୀତର ଭରପୂର ମଜା ନେଉଥିବାର ଦେଖା ଯାଇଥିଲା। ଆଜି ଏହି ସୋ'ରେ ଏହାର ପ୍ରଯୋଜନା ଦାୟିତ୍ବରେ ଥିବା ଅନୁପମ ପଟ୍ଟନାୟକଙ୍କ ସହିତ ବର୍ଷା ପଟ୍ଟନାୟକ, ଅନୁଭବ ମହାନ୍ତି ଓ ପୂରା ଟିମ୍ ଉପସ୍ଥିତ ରହି ଦର୍ଶକଙ୍କ ସହ ଫିଲ୍ମ ଦେଖିଥିଲେ। ଫିଲ୍ମର କାହାଣୀ ମାନସ ପଢ଼ିଆରୀ ଲେଖିଥିବାବେଳେ ଚିତ୍ରୋତ୍ତୋଳନରେ ଦୀପକ କୁମାର, ସଙ୍ଗୀତ ନିର୍ଦ୍ଦେଶନାରେ ଆଶିଷ ପ୍ରଧାନ, ସାଉଣ୍ଡ ଡିଜାଇନିଂରେ ଶକ୍ତି ସ୍ବରୂପ ଦ୍ବିବେଦୀ ଓ ସମ୍ପାଦନାରେ ରଶ୍ମି ରଞ୍ଜନ ଦାଶ ବେଶ୍ ଭଲ କାମ କରିଛନ୍ତି। ଲାଇନ୍ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ ଥିବାବେଳେ ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ପ୍ରଣୟ ଜେଠୀ। ଫିଲ୍ମରେ ଅନୁଭବଙ୍କ ସମେତ ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଥିଆ, ମedaୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଦିବ୍ୟା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।