କର୍ଣ୍ଣି ସେନା ‘ପଦ୍ମାବତ୍‌’ ରିଲିଜକୁ ନେଇ କାହିଁକି ନେଲା ୟୁ-ଟର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ: ସିନେମା ‘ପଦ୍ମାବତ୍‌’ରେ କିଛି ବି ଆପତ୍ତିଜନକ ଦୃଶ୍ୟ ନଥିବା ସତ୍ତ୍ୱେ କର୍ଣ୍ଣି ସେନା ଏହାକୁ ରିଲିଜ କରାଯିବ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଉ ବୋଲି ଅଡି ବସିଥିଲା। ଖବର ପ୍ରକାଶ ପାଇଛି କି, କର୍ଣ୍ଣି ସେନା ‘ପଦ୍ମାବତ୍‌’ ରିଲିଜ ପରେ ୟୁ-ଟର୍ଣ୍ଣ ନେଇଛି। କେବଳ ଏତିକି ନୁହେଁ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ସିନେମା ରିଲିଜକୁ ନିଷେଧାଦେଶ ଜାରି କରାଯାଇଥିଲା । ଏବେ ଏହି ସ୍ଥାନମାନଙ୍କରେ ସିନେମା ରିଲିଜ କରିବା ପାଇଁ କର୍ଣ୍ଣି ସେନା ସହଯୋଗର ହାତ ବଢ଼ାଇଛି।

ଶୁକ୍ରବାର କର୍ଣ୍ଣି ସେନାର ମୁମ୍ବାଇ ଅଧ୍ୟକ୍ଷ ଯୋଗେନ୍ଦ୍ର ସିଂହ ସମେତ ଅନ୍ୟ ଲୋକମାନେ ‘ପଦ୍ମାବତ୍‌’ ସିନେମା ଦେଖିଥିଲେ ଏବଂ ସିନେମାରେ କୌଣସି ଆପତ୍ତିଜନକ ଦୃଶ୍ୟ ନାହିଁ ବୋଲି ମତ ଦେଇଥିଲେ। ଏଥିରେ ରାଜପୁତର ବୀରତ୍ୱ ଓ ବଳିଦାନକୁ ଦର୍ଶାଯାଇଛି। ଏହାକୁ ନେଇ ପ୍ରତ୍ୟେକ ରାଜପୁତକୁ ଗର୍ବ ଅନୁଭବ ହେବ। ଏହାପରେ ସେମାନେ ‘ପଦ୍ମାବତ୍‌’କୁ ନେଇ କରୁଥିବା ବିବାଦରୁ ହଟିବେ ବୋଲି କହିଥିଲେ।

ଯୋଗେନ୍ଦ୍ର ସିଂହଙ୍କ କହିବାନୁସାରେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂହଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଯୋଗେନ୍ଦ୍ର ସିଂହ ଏକ ଚିଠି ମଧ୍ୟ ଲେଖିଛନ୍ତି।

ଏହି ଚିଠିରେ କୁହାଯାଇଛି, ‘ଆମେ ଫେବ୍ରୁଆରି ଦୁଇରେ ‘ପଦ୍ମାବତ୍‌’ ଦେଖିଥିଲୁ। ଏଥିରେ ରାଜପୁତର ବୀରତା ଓ ତ୍ୟାଗକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଏହି ସିନେମାରେ ରାଣୀ ପଦ୍ମାବତୀଙ୍କ ମହାନତାକୁ ସମର୍ପିତ କରାଯାଇଛି। ଏଥିରେ ରାଣୀ ପଦ୍ମାବତୀ ଓ ଅଲାଉଦ୍ଦୀନ ଖିଲ୍‌ଜିଙ୍କ ମଧ୍ୟରେ କୌଣସି ଦୃଶ୍ୟ ନାହିଁ। ଆମେ ଏହି ସିନେମାକୁ ନେଇ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ଅଛୁ। ସେଥିପାଇଁ ଆମେ ଆନ୍ଦୋଳନ ବିନା ସର୍ତ୍ତକୁ ଫେରାଇ ନେଉଛି ଏବଂ ଆଶ୍ୱସନା ଦେଉଛୁ ଯେ ଏହି ସିନେମାକୁ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଭାରତର ସମସ୍ତ ପ୍ରେକ୍ଷାଳୟରେ ପ୍ରଦର୍ଶନ କରିବା ପାଇଁ ସହଯୋଗ କରିବୁ।’

ଏହି ଚିଠି ସମ୍ପର୍କରେ ଭଂସାଲି ପ୍ରଡକସନ୍‌ର ସିଇଓ ଶୋଭା ସନ୍ଥ ଟୁଇଟର ବି କରିଛନ୍ତି।

 

ସମ୍ବନ୍ଧିତ ଖବର