ସଫଳତା ପାଇବା ପରେ ବଢ଼ିଗଲେଣି ମହିଳା ଫ୍ୟାନ୍‌; ବିବାହ ପ୍ରସ୍ତାବ ଉପରେ ଏପରି କହିଲେ କାର୍ତ୍ତିକ

ମୁମ୍ବାଇ: ଗୋଟାଏ ପରେ ଗ‌ୋଟାଏ ହିଟ୍‌ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛନ୍ତି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ। ତାଙ୍କ ଅଭିନୀତ ‘ଭୁଲ୍‌ ଭୁଲେୟାଁ-୨’ ଓ ଓଟିଟିରେ ରିଲିଜ୍‌ ‌ହୋଇଥିବା ‘ଫ୍ରେଡି’ ଖୁବ୍ ଚର୍ଚ୍ଚାରେ ରହିଛି। କାର୍ତ୍ତିକ ଲଗାତର ଏହି ଦୁଇଟି ଲୋକପ୍ରିୟ ଫିଲ୍ମ ଦେବା ପରେ ତାଙ୍କ ମହିଳା ପ୍ରଶଂସକ ବି ଢେର୍‌ ବଢ଼ି ଯାଇଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ଏବେ ସୋସିଆଲ୍‌ ମିଡିଆରେ ବିବାହ ପ୍ରସ୍ତାବ ବି ମିଳିବାରେ ଲାଗିଛି। ମାତ୍ର ଏଥିରେ ସାମାନ୍ୟତମ ବି ଆଗ୍ରହ ପ୍ରକାଶ କରିନାହାନ୍ତି କାର୍ତ୍ତିକ।

ସେ ୨-୩ ବର୍ଷ ଭିତରେ ବିବାହ କରିବ‌ାର ଯୋଜନା ରଖିନାହାନ୍ତି ବୋଲି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ତାଙ୍କ ମାଆ ଚାହାନ୍ତି ଯେ ସେ ଆହୁରି କିଛି ବର୍ଷ ବିବାହ ନକରି ନିଜ କ୍ୟାରିୟର୍‌ ଉପରେ ଧ୍ୟାନ୍‌ ଦିଅନ୍ତୁ ବୋଲି। ତାଙ୍କ ମାଆ ଚାହାନ୍ତି କି ବିବାହ ପୂର୍ବରୁ ସେ ପ୍ରଥମେ ଜଣେ ସଫଳ ଅଭିନେତା ବନନ୍ତୁ।

ଖୁବ ଶୀଘ୍ର ଆସିବ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ ମସିହାରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଏହି ଫିଲ୍ମର ପ୍ରଶଂସକମାନଙ୍କ ଖୁସିର ଠିକଣା ନାହିଁ। ତେବେ ‘ହେରା ଫେରି-୩’ରେ ଏକ ବଡ଼ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ବଲିଉଡର ଖିଲାଡି କୁମାର ଅକ୍ଷୟ ନଜର ଆସିବେ ନାହିଁ, ତାଙ୍କ ସ୍ଥାନରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର