ଏହି ସର୍ତ୍ତ ପୂରଣ ହେଲେ ‘ହେରାଫେରି-୩’ କରିବେ କାର୍ତ୍ତିକ ଆରୟନ

ମୁମ୍ବାଇ: ଖୁବ ଶୀଘ୍ର ଆସିବ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ ମସିହାରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଏହି ଫିଲ୍ମର ପ୍ରଶଂସକମାନଙ୍କ ଖୁସିର ଠିକଣା ନାହିଁ। ତେବେ ‘ହେରା ଫେରି-୩’ରେ ଏକ ବଡ଼ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ବଲିଉଡର ଖିଲାଡି କୁମାର ଅକ୍ଷୟ ନଜର ଆସିବେ ନାହିଁ, ତାଙ୍କ ସ୍ଥାନରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ ବୋଲି ଜଣାପଡ଼ିଛି। ତେବେ ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ଫିଲ୍ମ କରିବା ପୂର୍ବରୁ କାର୍ତ୍ତିକ ଏକ ସର୍ତ୍ତ ରଖିଥିବା ସାମ୍ନାକୁ ଆସିଛି।

‘ହେରା ଫେରି-୩’ରେ ଅକ୍ଷୟ କୁମାରଙ୍କ ସ୍ଥାନ ନେଉଥିବା ବିଷୟରେ କାର୍ତ୍ତିକ କୌଣସି ଘୋଷଣା କରିନାହାନ୍ତି। ଏମଧ୍ୟରେ ଆଉ ଏକ ଖବର ଆସିଛି ଯେ, ପ୍ରଥମେ ଫିଲ୍ମର କାହାଣୀ ପଢ଼ିସାରିବା ପରେ ଫିଲ୍ମ କରିବେ ନାଁ ନାହିଁ କାର୍ତ୍ତିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏହା ବ୍ୟତୀତ ଅଭିନେତା କାର୍ତ୍ତିକ ଫିଲ୍ମରେ ଅକ୍ଷୟ କୁମାରଙ୍କଠାରୁ ଟିକେ ଭିନ୍ନ ଚରିତ୍ର କରିବାକୁ ଚାହୁଁଥିବା ସାମ୍ନାକୁ ଆସିଛି।

କୁହାଯାଉଛି ଯେ, ଫିରୋଜ ନାଦିଆଦୱାଲା କାର୍ତ୍ତିକ ଆରୟନଙ୍କୁ ‘ରାଜୁ’ର ଚରିତ୍ର ପାଇଁ ବାଛିଛନ୍ତି। ଏହା ସହ ଚର୍ଚ୍ଚା ହେଉଛି ଯେ, ଫିଲ୍ମର ନାଁ ହେରା ଫେରୀ-୩ ବା ହେରା ଫେରୀ ରବୁଟ ହେବ। କିନ୍ତୁ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ପୂର୍ବରୁ ପ୍ରଶଂସକଙ୍କ ପଚାରିଥିବା ଏକ ପ୍ରଶ୍ନର ପ୍ରତିକ୍ରିୟାରେ ପରେଶ ରାୱଲ ନିଶ୍ଚିତ କରିଥିଲେ ଯେ କାର୍ତ୍ତିକ ଆରୟନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଅଭିନେତା ଅକ୍ଷୟ କୁମାରଙ୍କୁ ହଟାଯାଇ ‘ଭୁଲ ଭୁଲୈୟା-୨’ ରେ କାର୍ତ୍ତିକ ଆରୟନଙ୍କୁ ସୁଯୋଗ ଦିଆଯାଇଥିଲା।

ସମ୍ବନ୍ଧିତ ଖବର