ମୁମ୍ବାଇ: ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଏକ ଛୋଟ ବଜେଟର ସିନେମା ‘ସୋନୁକି ଟିଟୁକି ସ୍ୱିଟି’ବକ୍ସ ଅଫିସରେ ଧମାଲ୍ କରିଥିଲା। ଏହାର ବ୍ୟବସାୟ ଶହେ କୋଟି ଟପି ଯାଇଥିଲା। ଏହି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ କାର୍ତ୍ତିକ ଆର୍ଯ୍ୟନ୍।
ଏବେ କାର୍ତ୍ତିକ ଏକ ନୂଆ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇ ଥିବା ଜଣାଯାଇଛି। ଏହାର ଟାଇଟଲ୍ ହେଲା ‘ଲୁକାଛୁପି’ଯାହାର ଓଡ଼ିଆ ଅର୍ଥ ହେଉଛି ଲୁଚକାଳି। ଏହା ଏକ ଛୋଟ ସହର ପ୍ରେମ କାହାଣୀ ଉପରେ ଆଧାରିତ ସିନେମା ହେବ। କାହାଣୀର ଆରମ୍ଭ ହେଉଛି ମଥୁରାରୁ। ହେଲେ ତାହା ଆଗ୍ରା ଓ ଗୋଓ୍ଵାଲିୟର୍ ବାଟ ଦେଇ ସରୁଛି।
‘ଲୁକାଛୁପି’ରେ ନାୟିକା ଭୂମିକାରେ ନଜର ଆସିବେ କ୍ରିତି ସାନନ୍। କ୍ରିତି ବଲିଉଡରେ ‘ହିରୋପନ୍ତୀ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଥିଲେ ଟାଇଗର୍ ଶ୍ରଫ୍।
ଏଥିରେ କାର୍ତ୍ତିକ ଆର୍ଯ୍ୟନ୍ ମଥୁରାର ଏକ ଆଞ୍ଚଳିକ ଟିଭି ଚାନେଲର ଷ୍ଟାର୍ ରିପୋର୍ଟର ଭୂମିକାରେ ଅଛନ୍ତି। ଅନ୍ୟପକ୍ଷରେ କ୍ରିତିଙ୍କ ଭୂମିକା ହେଲା ‘ମଥୁରାର ଜଣେ କଲେଜ ପଢ଼ୁଆ ଯୁବତୀ। ସେ ପାଠପଢ଼ିବା ଲାଗି ଦିଲ୍ଲୀ ଆସନ୍ତି ଓ ପୁଣି ମଥୁରାକୁ ଫେରନ୍ତି।
‘ଲୁକାଛିପି’ର ପ୍ରଯୋଜକ ହେଲେ ଦିନେଶ ବିଜନ୍। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଲକ୍ଷ୍ମଣ ଉତେକର୍। ଏହା ଲକ୍ଷ୍ମଣଙ୍କର ବଲିଉଡ୍ ଡେବ୍ୟୁ ହେବ। କାର୍ତ୍ତିକ-କ୍ରିତିଙ୍କ ଯୋଡିଙ୍କୁ ଏହି ସିନେମାରେ ପସନ୍ଦ କରିବେ ବୋଲି ଆଶା କରାଯାଉଛି।