ମ୍ୟାଡାମ୍‌ ତୁଷାଦ୍‌ରେ ଏକାଠି ରହିବେ ବାହୁବଳୀ ଓ କଟ୍ଟପା

ବାଙ୍ଗାଲୁରୁ: ବ୍ଲକବୁଷ୍ଟର ଫିଲ୍ମ ବାହୁବଳୀର ଅନ୍ୟତମ ଲୋକପ୍ରିୟ ଚରିତ୍ର କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ । ଚଳଚ୍ଚିତ୍ରରେ ଏହି ଚରିତ୍ରରେ ବରିଷ୍ଠ ଅଭିନେତା ସତ୍ୟାରାଜ ଅଭିନୟ କରିଥିଲେ । ପୂର୍ବରୁ ବାହୁବଳୀ ଅର୍ଥାତ୍‌ ପ୍ରଭାସଙ୍କ ମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇସାରିଛି । ଏ ସଂପର୍କରେ ସତ୍ୟାରାଜ୍‌ଙ୍କ ପୁଅ ତଥା ଅଭିନେତା ଶିବିରାଜ୍‌ ନିଜ ଟ୍ଵିଟ୍ଟର ପେଜ୍‌ ରେ ସୂଚନା ଦେଇଛନ୍ତି । ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତାମିଲ ଅଭିନେତା । ଏହି ଖବର ବ୍ୟାପିବା ପରେ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଆନନ୍ଦ ଖେଳିଯାଇଛି ।

ଗତ ବର୍ଷ ବାହୁବଳୀ ଓପଫ ପ୍ରଭାସଙ୍କ ପ୍ରତିମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ଉନ୍ମୋଚନ ହୋଇଥିଲା । ଏହି ମ୍ୟୁଜିୟମରେ ସ୍ଥାନ ପାଇବାରେ ପ୍ରଭାସ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତା । ଏବେ କଟ୍ଟପା ଓରଫ ସତ୍ୟାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବା ପରେ ସେ ହେବେ ଦ୍ୱିତୀୟ ଦକ୍ଷିଣ ଭାରତୀୟ ଅଭିନେତା ଓ ପ୍ରଥମ ତାମିଲ ଅଭିନେତା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଜନିକାନ୍ତ ଓ କମଲହାସାନଙ୍କ ପରି ସୁପରଷ୍ଟାର ଥିବା ସତ୍ତ୍ୱେ ସତ୍ୟାରାଜଙ୍କ ମୂର୍ତ୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇବା କୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ତାଙ୍କ ପୁଅ ଶିବିରାଜ ।
୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ବାହୁବଳୀ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରର ନାୟକ ବାହୁବଳୀ ସାରା ଦେଶରେ ଲୋକପ୍ରିୟ ହୋଇପାରିଥିଲେ । ବାହୁବଳୀ ପରେ କଟ୍ଟପା ଚରିତ୍ର ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଥିଲା ।

ସମ୍ବନ୍ଧିତ ଖବର