‘ଧୁମ୍ ୩’ ପରେ ଏବେ ଅମିର୍ ଖାଁ ଓ କ୍ୟାଟ୍ରିନା କୈଫ୍ ଗୋଟିଏ ନୂଆ ଫିଲ୍ମରେ ଏକାଠି ଅଭିନୟ କରୁଛନ୍ତି। ଆପଣ ଜାଣନ୍ତି, ତା’ର ନାଁ ହେଉଛି ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’। ଜଣେ ବିଦେଶୀ ଲେଖକଙ୍କ ଦ୍ୱାରା ଜଣେ କୁଖ୍ୟାତ ଥଗ୍ ବା ଡକାୟତର ଆତ୍ମକାହାଣୀକୁ ନେଇ ଲେଖା ହୋଇଥିବା ଏକ ବହି ଉପରେ ଏ ଫିଲ୍ମଟି ଆଧାରିତ। ଏଥିରେ ଅମିର୍ ଓ କ୍ୟାଟ୍ରିନାଙ୍କ ସହିତ ଆହୁରି ଅଛନ୍ତି ବିଗ୍-ବି ଅମିତାଭ ବଚ୍ଚନ୍। ସେ ଫିଲ୍ମରେ ‘ଦଙ୍ଗଲ୍’ରେ ଅମିର୍ଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଫାତିମା ସାନା ଶେଖ୍ ମଧ୍ୟ ଅଭିନୟ କରୁଛନ୍ତି। ଶୁଣାଯାଉଛି ସେହି ଫାତିମାଙ୍କ କାରଣରୁ ଅମିର୍ଙ୍କ ଉପରେ କ୍ୟାଟ୍ ଏବେ ଭାରି ଅସନ୍ତୁଷ୍ଟ।
ଶୁଣା ଯାଉଛି, ଅମିର୍ଙ୍କ ନିର୍ଦ୍ଦେଶରେ ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’ର ମୂଳ ସ୍କ୍ରିପ୍ଟକୁ ବଦଳାଇ କ୍ୟାଟ୍ଙ୍କ ଭୂମିକାକୁ ଛୋଟ କରାଯାଇଛି ଏବଂ ଫାତିମାଙ୍କ ଭୂମିକାକୁ ବଢ଼ାଇ ଦିଆଯାଇଛି। ଏସବୁ କରିବାବେଳେ କ୍ୟାଟ୍ଙ୍କୁ କିଛି ଖବର ମଧ୍ୟ ଦିଆଯାଇନାହିଁ।
କେବଳ ସେତିକି ନୁହେଁ, ଗୋଟିଏ ସାକ୍ଷାତକାରରେ ତ ନିଜେ ଅମିର୍ ମଧ୍ୟ କହି ଦେଇଛନ୍ତି ଯେ ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’ର ମୁଖ୍ୟ ନାୟିକା ହେଉଛନ୍ତି ଫାତିମା, ଫିଲ୍ମରେ କିଛିଟା ଗ୍ଲାମର୍ ଖଞ୍ଜିବାଲାଗି ହିଁ କ୍ୟାଟ୍ଙ୍କୁ ନିଆ ଯାଇଛି!
ଏକଥା ଶୁଣି କ୍ୟାଟ୍ ଭାରି ବିରକ୍ତ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ହେବା ବି ସ୍ୱଭାବିକ। ‘ଥଗ୍ସ୍ ଅଫ୍ ହିନ୍ଦୋସ୍ତାନ୍’ ଭଳି ଫିଲ୍ମ, ପୁଣି ଅମିର୍ ଓ ଅମିତାଭଙ୍କ ଭଳି ସହକଳାକାର। ତେଣୁ ସେ କିଛି ନ ଭାବି ଫିଲ୍ମଟିକୁ ଗ୍ରହଣ କରିଥିଲେ। ସେ କ’ଣ ଜାଣିଥିଲେ, ମାମଲା ଏଇଠି ପହଞ୍ଚିବ !!