ଭୁବନେଶ୍ୱର: ଓଲିଉଡ ନାୟିକା କାବ୍ୟା କିରଣ୍ ଏବେ ପରଦାକୁ ପୁଣି ଆସୁଛନ୍ତି। ଆଗରୁ ସେ ଏଯାଏଁ କେବଳ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ହଁ , କାବ୍ୟା ୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣ୍ଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟରଂଜନ ସାହୁ,ଅର୍ଦ୍ଧେନ୍ଦୁ ଓ ପାୟଲ୍ ଭୂୟାଁ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥବଲା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।
‘କାଉଁରୀ କନ୍ୟା’ ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ। ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ।
ତେବେ ତା’ ଭିତରେ କାବ୍ୟା ଅନ୍ୟ ଏକ ଓଡ଼ିଆ ସିନେମା ‘ପ୍ରେମ ହୁଏ ଚୋରି ଚୋରି’ରେ ବି କାମ କରିଥିଲେ। ଏଥିରେ ଫିମେଲ୍ ଲିଡରେ ଥିଲେ। ସୌମ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଫିଲ୍ମ ଏଯାଏଁ ରିଲିଜ୍ ହୋଇ ନାହିଁ।
ତେବେ କାବ୍ୟା ଇତିମଧ୍ୟରେ ଅନ୍ୟ ଏକ ଓଡ଼ିଆ ସିନେମାରେ ନାୟିକା ଭୂମିକା ନିଭାଇଛନ୍ତି। ଏହି ସିନେମାର ଟାଇଟଲ୍ ହେଲା ‘ରହସ୍ୟ’। ନବାଗତ ବିଘ୍ନେଶ୍ୱର ପଣ୍ଡା ଏହାର ନିର୍ଦ୍ଦେଶକ। ‘ରହସ୍ୟ’ରେ ପ୍ରଥମଥର ପାଇଁ କାବ୍ୟା କିରଣ୍ ଡବଲ୍ ରୋଲ୍ରେ ନଜର ଆସିବେ।
ଏହି ସିନେମାରେ ଗୋଟିଏ ଭୂମିକାରେ କାବ୍ୟାଙ୍କୁ ଜଣେ ରାଜ କୁମାରୀ ଇନ୍ଦୁମତୀ ଓ ଅନ୍ୟଟିରେ କଲେଜ୍ ପଢ଼ୁଆ ଯୁବତୀ ଶ୍ରୁତି ଭୂମିକାରେ ଦେଖିବାକୁ ପାଇବେ ଦର୍ଶର୍କ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ତୁଷାର,ଅଙ୍କିତା ମହାନ୍ତି,ଗୁଲୁ ମାଇକେଲ ଓ ଅବକାଶ ମିଶ୍ର ଏବଂ ବିଘ୍ନେଶ୍ୱର ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।
ନିହାର-ଶାନ୍ତନୁ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଶାନ୍ତନୁ ସିଅ ଓ ନାରାୟଣ ସାହୁ ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ବି.ଚନ୍ଦନ କୁମାର ସଂଳାପ ଲେଖିଛନ୍ତି। ଏହା ସଙ୍ଗୀତ ନିର୍ଦ୍ଦେଶକଭାବେ ଡେବ୍ୟୁ ସିନେମା ହେବ।